କ୍ବାଲିଫାୟର ମ୍ୟାଚରେ ପୃଥ୍ବୀ ସ’ ଙ୍କ ବିସ୍ଫୋରକ ବ୍ୟାଟିଂ, ଶେଷରେ ପନ୍ତଙ୍କ ଦର୍ଶନୀୟ ଅର୍ଦ୍ଧଶତକ : ଚେନ୍ନାଇକୁ ବିଜୟ ଲକ୍ଷ୍ୟ ୧୭୩

Published By : Prameya-News7 Bureau | October 10, 2021 IST

ଦୁବାଇ ୧୦/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପ୍ରଥମ କ୍ବାଲିଫାୟର ମ୍ୟାଚ ରୋମାଞ୍ଚକର ହେବାକୁ ଯାଉଛି । ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଦୁଇ ଟିମ୍‌ ଜୋରଦାର ପ୍ରୟାସ କରୁଛନ୍ତି । IPL ୨୦୨୧ ଫାଇନାଲ ଟିକେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୭୨ ରନ ସଂଗ୍ରହ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ବୀ ସ’ ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଶେଷରେ ପନ୍ତ ଓ ହେଟମାୟରଙ୍କ ଦମଦାର ବ୍ୟାଟିଂ ବଳରେ ଫାଇଟିଂ ଟୋଟାଲ ସ୍କୋର ଛିଡା କରିଛି ଡିସି ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ପୃଥ୍ବୀ ସ ଏବଂ ଶିଖର ଧାଓ୍ବନ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଧାଓ୍ବନ ଅଧିକ ସମୟ ତିଷ୍ଠି ପାରିନଥିଲେ । ସେ ମାତ୍ର ୭ ରନକରି ଆଉଟ ହୋଇଥିବା ବେଳେ ଅନ୍ୟପଟେ ପୃଥ୍ବୀ ସ’ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ମାତ୍ର ୩୪ ବଲରୁ ୭ ଚୌକା ଏବଂ ୩ ଛକା ସହାୟତାରେ ୬୦ ରନ କରି ଆଉଟ ହୋଇଛନ୍ତି । ଅନ୍ୟପଟେ ଶ୍ରେୟସ ଆୟର ୧, ଅକ୍ଷର ପଟେଲ ୧୦ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ଋଷଭ ପନ୍ତ ଏବଂ ସିମ୍ରନ୍‌ ହେଟ୍‌ମାୟର ଜବରଦସ୍ତ ବ୍ୟାଟିଂ କରି ଦିଲ୍ଲୀ ସ୍କୋର ବୋର୍ଡକୁ ଆଗକୁ ନେଇଥି​‌ଲେ । ହେଟମାୟର ୨୪ ବଲ ଖେଳି ୩ ଚୌକା ଏବଂ ୧ ଛକା ସହାୟତାରେ ୩୭ ରନକରି ଆଉଟ ହୋଇଛନ୍ତି । ଋଷଭ ପନ୍ତ ବ୍ୟକ୍ତିଗତ ଭାବେ  ୩୫ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୫୧ ରନ ଏବଂ ଟମ୍‌ କରନ୍‌ ୦ ରନ କରି ଅପରାଜିତ ଅଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ମୋଇନ ଅଲ୍ଲୀ ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ​‌ବେଳେ, ଦୀପକ ଚହର ୩ ଓଭରରେ ୨୬ ରନ, ଜୋସ୍‌ ହେଜେଲଉଡ ୪ ଓଭରରେ ୨୯ ରନ ୨ ଓ୍ବିକେଟ, ଶାର୍ଦ୍ଦୁଳ ଠାକୁର ୩ ଓଭରରେ  ୩୬ ରନ, ରବୀନ୍ଦ୍ର ଜାଡେଜା ୩ ଓଭରରେ ୨୩ ରନ ୧ ଓ୍ବିକେଟ ଏବଂ ଡ୍ବେନ୍‌ ବ୍ରାଭୋ ୩ ଓଭରରେ ୩୧ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.