ITC ଗ୍ରାଣ୍ଡ ଚୋଳ ହେଲା କୋଭିଡ ହଟସ୍ପଟ୍, ୮୫ କର୍ମଚାରୀ ଆକ୍ରାନ୍ତ

Published By : Prameya-News7 Bureau | January 02, 2021 IST

ଚେନ୍ନାଇ ୨।୧: ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟସ୍ଥ ଗୁଇଣ୍ଡିରେ ଥିବା ଆଇଟିସି ଗ୍ରୁପର ବିଳାଶମୟ ହୋଟେଲ ଗ୍ରାଣ୍ଡ ଚୋଳ କୋଭିଡ ହଟସ୍ପଟ ପାଲଟିଛି। ହୋଟେଲର ୮୫ ଜଣ କର୍ମଚାରୀଙ୍କ କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପଜିଟିଭ ମିଳିଛି। ଘଟଣା ଜଣାପଡିବା ପରେ ସ୍ୱାସ୍ଥ୍ୟ ସଚିବ ଚେନ୍ନାଇର ସମସ୍ତ ହୋଟେଲରେ କାର୍ଯ୍ୟରତ କର୍ମଚାରୀଙ୍କ କୋଭିଡ ପରୀକ୍ଷଣ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ହେଉଛି। ତେବେ ବେଙ୍ଗାଲୁରୁ ସଂକ୍ରମିତ ସହର ସୂଚୀର ପ୍ରଥମ ସ୍ଥାନରେ ରହିଛି। ଏଠାରେ ଏପର୍ଯ୍ୟନ୍ତ ୩.୮୮ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଲେଣି। ବେଙ୍ଗାଳୁର ପଛକୁ ରହିଛି ପୁଣେ। ସହରର ୩.୭୩ ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି।

ଦେଶର ଶୀର୍ଷ ୫ ସଂକ୍ରମିତ ସହର ସୂଚୀରେ ମହାରାଷ୍ଟ୍ରର ୩ ସହର ରହିଛନ୍ତି। ଏଥିରେ ପୁଣେ, ମୁମ୍ବାଇ ଓ ଠାଣେ ସର୍ବାଧିକ ସଂକ୍ରମିତ ବୋଲି ଜଣାପଡିଛି। ସେପଟେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ଲଗାତାର ବଢିବାରେ ଲାଗିଛି। ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରିକୋଭରି ହାର ରାଷ୍ଟ୍ରୀୟ ହାର ଠାରୁ ମଧ୍ୟ ଅଧିକ ରହିଛି। ଏଥିରୁ ଦେଶର ୯୯ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଥିବା ଜଣାପଡିଛି।

ଦେଶରେ ଏପର୍ଯ୍ୟନ୍ତ ମୋଟ ୧.୦୩କୋଟି ଲୋକ କୋଭିଡ ଆକ୍ରାନ୍ତ ହେଲେଣି। ଗତ୨୪ ଘଣ୍ଟାରେ ୧୯ ହଜାର ୩୭୮ଟି ନୂଆ ମାମଲା ମିଳିଥିବା ବେଳେ ଏମାନଙ୍କ ମଧ୍ୟରୁ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚିତ କରିଛନ୍ତି। ଦେଶରେ ଏବେ କୋଭିଡ ଆକ୍ଟିଭ କେସ୍ ସଂଖ୍ୟା ୨.୫୦ ଲକ୍ଷକୁ ହ୍ରାସ ପାଇଛି। ୨ଲକ୍ଷ ୪୮ ହଜାର ୮୮୨ ଜଣ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.