ପୋଲିସ ହେଲେ ବି ହୃଦୟବାନ: ୫ ବର୍ଷ ଝିଅର ଓପନହାର୍ଟ ସର୍ଜରୀ ପାଇଁ ଚେନ୍ନାଇ ପୋଲିସ୍ ଯୋଗାଡ କଲା ୫ ଲକ୍ଷ ଟଙ୍କା, ଇଣ୍ଟରନେଟ୍ ରିଆକ୍ସନ ସାବାସ୍…

Published By : Prameya-News7 Bureau | July 14, 2020 IST

ଚେନ୍ନାଇ ୧୪।୦୭: ଦୁଇ ବର୍ଷ ପୂର୍ବେ ଯେବେ ୩୫ ବର୍ଷୀୟ କାର୍ତ୍ତିକ ଜଣେ ହେଡ କନଷ୍ଟେବଲଙ୍କୁ ତାଙ୍କ ପାଖ ଘରେ ସିଫ୍ଟ ହେଉଥିବା ଦେଖିଲେ, ସେତେବେଳେ କଣ ସେ ଜାଣି ଥିଲେ ଯେ ଏହି କନଷ୍ଟେବଲ ଆଜି ତାଙ୍କ ଝିଅ ପାଇଁ ତ୍ରାଣକର୍ତ୍ତା ସାଜିବେ। କଣ ଖାକି ବର୍ଦିରେ ଥିବା ଲୋକ ମଧ୍ୟ ଏତେ ହୃଦୟବାନ ହୋଇ ପାରିବେ ? ଏହି ପରି ଉଦାହରଣ ସାଜିଲା ପରି ଘଟଣା ଚେନ୍ନାଇରେ ଘଟିଛି।

ଚେନ୍ନାଇ ସ୍ଥିତ ନନ୍ଦାବକ୍କମ ଥାନାର ହେଡ କନଷ୍ଟେବଲ ପି ସେନ୍ଥିଲ କୁମାର ଓ ପୋଲିସ ନୀରିକ୍ଷକ ଏମ ଥଙ୍ଗରାଜ ଏକ ଘରୋଇ ହସ୍ପିଟାଲରେ କାର୍ତ୍ତିକଙ୍କ ଝିଅଙ୍କ ଓପନ ହାର୍ଟ ସର୍ଜରୀ ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ଗୁଡୁବନଚେରିର ବାସିନ୍ଦା କାର୍ତ୍ତିକ ନିଜର ପତ୍ନୀ ପ୍ରିୟଙ୍କା ଓ ୫ ବର୍ଷର ଝିଅ କବିଷ୍କା ସହ ରହୁଛନ୍ତି। କାର୍ତ୍ତିକ ଚେନ୍ନାଇରେ ଜଣେ ଇଲେକ୍ଟ୍ରୋନିକ ସେଲ୍‌ସ ମ୍ୟାନ୍ ଭାବେ କାମ କରନ୍ତି, ମାତ୍ର ଲକ୍‌ଡାଉନ୍‌ ଲାଗୁ ହେବା ପରଠୁ ତାଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଛି। ତା ପରଠୁ ସେ ଆଉ କାମ କରି ପାରିନାହାନ୍ତି।

ତାଙ୍କ ୫ ବର୍ଷୀୟ ଝିଅ କବିଷ୍କା ହାର୍ଟରେ ଏକ ଛିଦ୍ର ସହ ଜନ୍ମ ହୋଇଥିଲା। ଶିଶୁକୁ ପୂର୍ବରୁ ତିନି ଥର ଏଞ୍ଜିଓଗ୍ରାମ ଚିକିତ୍ସା କରାଯାଇଛି ଏବଂ ଜନ୍ମ ବେଳରୁ ଔଷଧ ସାହାରାରେ ଶିଶୁଟି ବଞ୍ଚି ଆସିଛି। ଫେବୃଆରୀରେ ଲକ୍‌ଡାଉନ୍ ପୂର୍ବରୁ ଡାକ୍ତର  କାର୍ତ୍ତିକଙ୍କୁ ଝିଅକୁ ଏଞ୍ଜିଓଗ୍ରାମ ଦିଆଯିବାର ଆବଶ୍ୟକତା ରହିଥିବା କହିଥିଲେ।

କନଷ୍ଟେବଳ ସେନ୍ଥିଲ କୁମାର କହିଛନ୍ତି ଯେ, ଅର୍ଥାଭାବ କାରଣରୁ କାର୍ତ୍ତିକ ଝିଅର ଏଞ୍ଜିଓଗ୍ରାମ ଚିକିତ୍ସାକୁ ବନ୍ଦ କରିବାକୁ ଯୋଜନା କରିଥିଲା। ଏହା ପରେ ମୁଁ ଏବଂ ମୋର ପତ୍ନୀ ଏଞ୍ଜିଓଗ୍ରାମ ପାଇଁ ତାଙ୍କୁ ମନାଇଥିଲୁ। ତୁରନ୍ତ ତାଙ୍କୁ ୩୦ ହଜାର ଟଙ୍କା ଦେଇଥିଲୁ।  ଝିଅର ସ୍ଵାସ୍ଥ୍ୟ ଅଧିକ ବିଗିଡିବାରୁ କାର୍ତ୍ତିକ ସ୍ଥାନୀୟ ଏକ କ୍ଲିନିକ୍‌କୁ ନେଇ ଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ଶିଶୁର ଓପନ ହାର୍ଟ ସର୍ଜରୀ ଦରକାର ବୋଲି କହିଥିଲେ।

ଏହା ପରେ କାର୍ତ୍ତିକ ଏହି ବିଷୟରେ କାହାକୁ କିଛି ଜଣାଇନଥିଲା। କାର୍ତ୍ତିକଙ୍କୁ ଲାଗିଥିଲା ଯେ, ମୁଁ ସେମାନଙ୍କ ଉପରେ ବୋଝ ପାଲଟୁଛି। ଏହା ଭାବି କାର୍ତ୍ତିକ ଝିଅର ଚିକିତ୍ସା ବିଷୟରେ ଆମକୁ କିଛି କହିନଥିଲା ବୋଲି ସେନ୍ଥିଲ କହିଛନ୍ତି। ମୁଁ ଆମ ପଡୋଶୀ ଓ ପୋଲିସ ନୀରିକ୍ଷକ ଥଙ୍ଗରାଜଙ୍କଠୁ ଝିଅର ଓପନହାର୍ଟ ସର୍ଜରୀ ବିଷୟରେ ଶୁଣିବାକୁ ପାଇଲି। ଏହା ପରେ ଥାନା ନୀରିକ୍ଷକ ଶିଶୁର ଓପନହାର୍ଟ ସର୍ଜରୀ ପାଇଁ ସାହାଯ୍ୟ କରିବା ଉଚିତ୍ ବୋଲି କହିଥିଲେ।

ହେଡ କନଷ୍ଟେବଲ ପି ସେନ୍ଥିଲ କୁମାର ଓ ପୋଲିସ ନୀରିକ୍ଷକ ଏମ ଥଙ୍ଗରାଜ ଅଧିକାରୀଙ୍କ ସହ କଥା  ହୋଇ ଏବଂ ଥାନାର ସମସ୍ତ କାର୍ମଚାରୀଙ୍କଠୁ  ୪୫ ହଜାର ଟଙ୍କା, ଏକ ସରକାରୀ କଲ୍ୟାଣ ଯୋଜନା ମାଧ୍ୟମରେ ୧.୨୫ ଲକ୍ଷ ଏବଂ ଅନ୍ୟ ପ୍ରାୟୋଜକ ଜରିଆରେ ୩ ଲକ୍ଷ ଟଙ୍କା ଯୋଗାଡ କରିଥିଲେ।

ଏହା ପରେ କବିଷ୍କାକୁ ସର୍ଜରୀ ପାଇଁ ଗୋଟିଏ ମାସ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସର୍ଜରୀ ସାତ ଘଣ୍ଟା ଧରି ଚାଲିଥିଲା। ଏହାର ପରବର୍ତ୍ତୀ ୧୫ ଦିନ ଆଇସିୟୁ ଏବଂ ବାକି ୧୫ ଦିନ ଓ୍ଵାର୍ଡରେ ରଖାଯାଇଥିଲା। ସମସ୍ତ ଚିକିତ୍ସା ପରେ ଶନିବାର ରାତିରେ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ଏହି ବିଷୟରେ କାର୍ତ୍ତିକ କହିଛନ୍ତି, ଯେବେ ମୁଁ ଛୋଟ ଥିଲି ପୋଲିସ୍ କର୍ମଚାରୀ ବହୁତ ଖରାପ ବୋଲି ଶୁଣିଥିଲି। ମୁଁ କେବେ ବି ଭାବିନଥିଲି ଯେ, ଖାକି ବର୍ଦିରେ ଜଣେ ବ୍ୟକ୍ତି  ବାସ୍ତବରେ ମୋ ଝିଅର ଜୀବନ ବଞ୍ଚାଇବେ। ପୋଲିସ୍‌ବାଲା ମଧ୍ୟ ଏତେ ହୃଦୟବାନ ବୋଲି ଜାଣିନଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.