ବର୍ଷାରେ ଭିଜି ବେହୋସ ଯୁବକଙ୍କୁ କାନ୍ଧରେ ବୋହିନେଲେ ମହିଳା ପୋଲିସ କର୍ମୀ, ଭିଡିଓ ଭାଇରାଲ ପରେ ଛୁଟୁଛି ପ୍ରଶଂସାର ସୁଅ

Published By : Prameya-News7 Bureau | November 11, 2021 IST

ଚେନ୍ନାଇ ୧୧/୧୧ : ଚେନ୍ନାଇର ବିଭିନ୍ନ ସ୍ଥାନରେ ଏବେ ଜଳ ପ୍ରଳୟ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉଦ୍ଧାର କାର୍ଯ୍ୟ ମଧ୍ୟ ସେହିଭଳି ବ୍ୟାପକ ଭାବେ କରାଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଉଦ୍ଧାର ବେଳର ଏକ ଭିଡିଓ ସମସ୍ତଙ୍କୁ ଭାବବିହ୍ବଳ କରିଦେଉଛି। ମହିଳା ପୋଲିସ କର୍ମୀ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରି ନିଜ କାନ୍ଧରେ ବୋହିନେଇ ଯାଉଥିବାର ଭିଡିଓ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ ସେତିକି ହୃଦୟସ୍ପର୍ଶୀ ମଧ୍ୟ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟିପି ଚାଟରମ ପୋଲିସ ଷ୍ଟେସନ ନିକଟର ବୋଲି ଜଣାପଡିଛି । ଯେଉଁଠାରେ ରାଜେଶ୍ବରୀ ନାମକ ଜଣେ ମହିଳା ଇନ୍ସପେକ୍ଟର ଅଚେତ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ନିଜ କାନ୍ଧରେ ନେଇ ଚାଲି ଚାଲି ଅଟୋ ରିକ୍ସା ପର୍ଯ୍ୟନ୍ତ ବୋହିନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ମହିଳା ପୋଲିସ କର୍ମୀଙ୍କ ଏହି ମହତ କାର୍ଯ୍ୟ ପାଇଁ ଦେଶବ୍ୟାପୀ ଖୁବ ପ୍ରଶଂସା ମିଳୁଥିବା ବେଳେ ମଡ ମଡ ସେଲିବ୍ରିଟି ମାନେ ମଧ୍ୟ ଭିଡିଓ ସେୟାର କରି ଖୁବ ପ୍ରଶଂସା କରିଛନ୍ତି । ସୁପରଷ୍ଟାର କମଲ ହାସନ ଭିଡିଓ ଟ୍ବିଟ୍‌ କରି କହିଛନ୍ତି, ‘ପୋଲିସ ଇନ୍ସପେକ୍ଟର ରାଜେଶ୍ବରୀଙ୍କ କାର୍ଯ୍ୟ କରିବାର ଉତ୍ସାହ ଏବଂ ଜଣେ ବ୍ୟକ୍ତିଙ୍କୁ କାନ୍ଧରେ ବୋହି ନେଇ ଗାଡି ପର୍ଯ୍ୟନ୍ତ ଦୌଡିଯିବା ଘଟଣା ପ୍ରେରଣାଦାୟୀ । ତାଙ୍କର ସାହସ ଏବଂ ସେବା ଖୁବ ପ୍ରଶଂସନୀୟ । ଏଭଳି ପୋଲିସ ଅଧିକାରୀଙ୍କୁ ହୃଦୟରୁ ଅଭିନନ୍ଦନ ।’

ଚେନ୍ନାଇ ପୋଲିସ କମିଶନର ଶଙ୍କର ଜିଓ୍ବାଲ ଟ୍ବିଟ୍ କରି ରାଜେଶ୍ବରୀଙ୍କ ଏହି ମହତ କାମ ପାଇଁ ପ୍ରଶଂସା କରିବା ସହିତ ତାରିଫ୍‌ କରିଛନ୍ତି । ତାମିଲନାଡୁ ପୋଲିସ ଡିଜି ଶୈଳେନ୍ଦ୍ର ବାବୁ ମଧ୍ୟ ରାଜେଶ୍ବରୀଙ୍କ ଏଭଳି ଦୁଃସାହସିକ କାମ ପାଇଁ ପ୍ରଶଂସା କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ସେ ଯେଉଁ ବ୍ୟକ୍ତିଙ୍କୁ କାନ୍ଧରେ ବୋହି ନେଇ ଅଟୋ ପର୍ଯ୍ୟନ୍ତ ଯାଇଥିଲେ, ସେ ଏବେ ସୁସ୍ଥ ହେଉଛନ୍ତି । ତାଙ୍କର ଏବେ ଚିକିତ୍ସା ଜାରି ରହିଛି ।

ଘଟଣାକୁ ନେଇ ମହିଳା ପୋଲିସ ଅଧିକାରୀ ରାଜେଶ୍ବରୀ କହିଛନ୍ତି, ‘ଯୁବକଜଣକ ଅଚେତ ଅବସ୍ଥାରେ ପଡିରହିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା କରାଯିବାର ଆବଶ୍ୟକତା ଥିଲା । ସେଠାରେ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ କାନ୍ଧରେ ଉଠାଇ ନେଇ ଅଟୋ ପର୍ଯ୍ୟନ୍ତ ନେଇଥିଲି । ଏହା ସହିତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲି । ତାଙ୍କର ଏବେ ଚିକିତ୍ସା ଚାଲିଛି ଏବଂ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କର ଯାହାବି କିଛି ସାହାଯ୍ୟ ଆବଶ୍ୟକ ହେବ ପୋଲିସ ବିଭାଗ ପକ୍ଷରୁ କରାଯିବ ବୋଲି ତାଙ୍କ ପରିବାର ଲୋକଙ୍କୁ ଆଶ୍ବସ୍ତୀ ଦିଆଯାଇଛି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.