ବେରୁଟ୍ ପରେ ମନେପଡିଲା ଚେନ୍ନାଇରେ ବି ହୋଇପାରେ ଭୟଙ୍କର ବିସ୍ଫୋରଣ, ଗଚ୍ଛିତ ଅଛି ୭୪୦ ଟନ୍ ଆମୋନିୟମ ନାଇଟ୍ରେଟ୍

Published By : Prameya-News7 Bureau | August 06, 2020 IST

ଚେନ୍ନାଇ, ୦୬|୦୮: ବେରୁଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଶତାଧିକ ଜୀବନ ନେଇଥିବା ବେଳେ ୪୦୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଛାତିଥରା ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ପ୍ରାୟ ୨ କିମି ଧରି ସମସ୍ତ ଅଞ୍ଚଳ ଧ୍ୱଂସସ୍ତୁପ ପାଲଟି ଯାଇଥିଲା । ତେବେ ଆମୋନିୟମ ନାଇଟ୍ରେଟ୍ ପାଇଁ ଏହି ବିସ୍ଫୋରଣ ହୋଇଥିବା ତଦନ୍ତରୁ ଜଣାପଡିଛି । ତେବେ ଭାରତର ଚେନ୍ନାଇରେ ଥିବା ମାନାଲିରେ ମଧ୍ୟ ପ୍ରାୟ ୭୪୦ ଟନ୍‌ର ଆମୋନିୟମ ନାଇଟ୍ରେଟ୍ ଗଚ୍ଛିତ ଥିବା ସୂଚନା ମିଳିଛି । ଏହାକୁ ଏକ କଣ୍ଟେନରରେ ରଖାଯାଇଛି ।

ଏତେ ସଂଖ୍ୟକ ଆମୋନିୟମ ନାଇଟ୍ରେଟକୁ ୨୦୧୫ରେ ଏକ ସାଲେମ୍ ବେସଡ୍ କମ୍ପାନୀଠୁ ଜବତ କରାଯାଇଥିଲା । ଏହି ରସାୟନିକ ଦ୍ରବ୍ୟ ଭୟଙ୍କର ବିସ୍ଫୋରଣ ଘଟାଇଥାଏ । ଯାହା ଗତ ୨ ଦିନ ତଳେ ଲେବନନର ରାଜଧାନୀ ତଥା ବନ୍ଦର ନଗରୀ ବେରୁଟରେ ଦେଖିବାକୁ ମିଳିଥିଲା ।

ମନାଲିର ଜଣେ ବରିଷ୍ଠ କଷ୍ଟମ ଅଧିକାରୀ କହିଛନ୍ତି ଯେ, ଏହି ଆମୋନିୟମ ନାଇଟ୍ରେଟକୁ ଜଣେ କମିଶନର ରାଙ୍କ୍ ଅଧିକାରୀଙ୍କ ତତ୍ୱାବଧାନରେ ରଖାଯାଇଛି । ସମସ୍ତ ପ୍ରକାର ସୁରକ୍ଷା ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଉଛି । ଅତିଶୀଘ୍ର ଏହାକୁ ନଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ ହେବ ।

ତାମିଲନାଡୁ ପୋଲିସର କହିବାନୁସାରେ, ଏହି ସବୁ କେମିକାଲ ୩୭ଟି କଣ୍ଟେନରରେ ଗଚ୍ଛିତ ହୋଇରହିଛି । ଗୁଇନ୍ଦା ବିଭାଗ ପକ୍ଷରୁ ଏହା ଉପରେ ଆଗମୀ ପଦକ୍ଷେପ ନେବା ପାଇଁ କୁହାଯାଇଛି । ଚେନ୍ନାଇର ଅନ୍ୟ ବନ୍ଦର ଯଥା ଇନୋର, ତୁଟିକୋରି ଓ କରାଇକାଲରେ ଥିବା ଅନ୍ୟ ବିସ୍ଫୋରକ ବାବଦରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.