ସାମୁଦ୍ରିକ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ‘ଚେମ୍ବରମବକ୍କମ’ରୁ ଛଡାଗଲା ୧ହଜାର କ୍ୟୁସେକ୍ ପାଣି
25/11/2020 at 5:30 PM

ଚେନ୍ନାଇ ୨୫।୧୧: ଦକ୍ଷିଣ ଭାରତ ଉପକୂଳରେ ଘୂର୍ଣ୍ଣିବାତ୍ୟା ‘ନିଭାର’ର ପ୍ରଭାବ ଅନୁଭୂତ ହେଲାଣି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ପୂର୍ବାନୁମାନ ଅନୁସାରେ ବାତ୍ୟା ୨୫ ନଭେମ୍ବର ରାତି ଅଥବା ୨୬ ନଭେମ୍ବର ସକାଳ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ମଧ୍ୟବର୍ତ୍ତି କରାଇକାଲ ଓ ମାମଲ୍ଲାପୁରମ ଦେଇ ଭୂ-ଭାଗକୁ ପ୍ରବେଶ କରିବ। ତେବେ ଘୂର୍ଣ୍ଣିବାତ୍ୟା ପ୍ରଭାବରେ ଗତ ୨୪ ଘଣ୍ଟା ହେଲା ଜାରି ବର୍ଷା ଯୋଗୁ ତାମିଲନାଡୁ ସରକାର ଚେମ୍ବରମବକ୍କମରୁ ୧ ହଜାର କ୍ୟୁସେକ୍ ପାଣି ଖାଲି କରିଛନ୍ତି। ୨୦୧୫ ମସିହା ପରେ ପ୍ରଥମ ଥର ଜଳଭଣ୍ଡାରରୁ ଉଦବୃତ୍ତ ବନ୍ୟାଜଳ ନିଷ୍କାସିତ ହେଉଛି।

ନିବାର ପ୍ରଭାବରେ ଗତ ୨୪ ଘଣ୍ଟାହେଲା ତାମିଲନାଡୁରେ ବର୍ଷା ଲାଗି ରହିଛି। ଏଣୁ ଚେମ୍ବରମବକ୍କମର ଜଳ ଧାରଣ କ୍ଷମତା ବିପଦ ସଙ୍କେତ ଟପିବା ଆଶଙ୍କାରେ ସରକାର ପାଣି ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲଗାଣ ବର୍ଷା ଯୋଗୁ ତାମିଲନାଡୁ ରାଜଧାନୀ ଚେନ୍ନାଇର ଅନେକ ଅଞ୍ଚଳ ଜଳର୍ଣ୍ଣବ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଘରେ ବର୍ଷାପାଣି ପଶିଛି। ସେପଟେ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ଜନତାଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି।

ନିବାର ଆଗାମୀ ୧୨ ଘଣ୍ଟାରେ ଅଧିକ ସକ୍ରିୟ ହୋଇ ଉପକୂଳକୁ ମୁହାଁଇବ। ବାତ୍ୟା ଭୂ-ଭାଗକୁ ଛୁଇଁବା ବେଳେ ପବନର ବେଗ ପ୍ରତି ଘଣ୍ଟା ୧୨୦-୧୩୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛନ୍ତି। କେତେକ ସ୍ଥଳରେ ପବନ ପ୍ରତି ଘଣ୍ଟା ୧୪୫ କିଲୋମିଟର ବେଗରେ ବହିବବୋଲି ମଧ୍ୟ ଆଶଙ୍କା କରାଯାଉଛି। ସାମ୍ଭବ୍ୟ ବାତ୍ୟା ଲାଗି ତାମିଲନାଡୁରେ ବୁଧବାର ସରକାରୀ ଛୁଟି ଘୋଷଣା କରାଯାଇଛି।

ବାତ୍ୟା ନିବାରକୁ ନେଇ ପ୍ରଧାନମନ୍ତ୍ରୀ ଉଭୟ ପୁଡୁଚେରୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବିପଦପୂର୍ଣ୍ଣ ଅଞ୍ଚଳ ଓ କଚ୍ଚା ଘରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ବାତ୍ୟା ଯୋଗୁ ହେବାକୁ ଥିବା କ୍ଷୟକ୍ଷତି ବାବଦେ ସବୁମତେ ସହାୟତା ନିମନ୍ତେ ପ୍ରଧାନନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି।