ଛେଲିଆ ମାଝି ହତ୍ୟାକାଣ୍ଡର ଆସିଲା ରାୟ, ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
16/12/2019 at 7:45 PM

ରାୟଗଡା ୧୬।୧୨: ଟିକିରି ଥାନା ପୋଡକଣା ଛେଲିଆ ମାଝି ହତ୍ୟା ଘଟଣାରେ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ସୋମବାର ରାୟ ଘୋଷଣା କରିଛନ୍ତି।ମାମଲାର ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି।

୩୦ ନଭେମ୍ବର ୨୦୧୭ରେ ଜମିବାଡି ବିବାଦକୁ ନେଇ ପୋଡକଣା ଗାଁର ବାଲି ମାଝି, ସନ୍ତୋଷ ମାଝି, ପତିଡି ମାଝି, ନରି ମାଝି, କୁଶ ମାଝି, କୃଷ୍ଣ ମାଝି, ସଦା ମାଝି, ସାଲୁ ମାଝି ଓ କବିରାଜ ମାଝି ରାତି ପ୍ରାୟ ୮ଟା ବେଳେ ଛେଲିଆକୁ ଘରୁ ଡାକିନେଇଥିଲେ। ତେବେ ତା ପରଦିନ କଡିଗରଡା ଜଙ୍ଗଲରେ ଛେଲିଆର ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଥିବା ଦେଖାଯାଇଥିଲା। ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିଲା।

ଦୌରାଜଜ୍ ସୋମ ଶେଖର ଜେନାଙ୍କ କୋର୍ଟ ମାମଲାରେ ୧୮ ଜଣ ସାକ୍ଷଙ୍କ ସାକ୍ଷୀ ଗ୍ରହଣ କରିଥିବା ବେଳେ ପୋଲିସର ତଥ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜମିବାଡି ବିବାଦକୁ ନେଇ ଏଭଳି ନୃଶଂସ ହତ୍ୟା ନିମନ୍ତେ ପ୍ରତ୍ୟେକ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡାଦେଶ କରିଛନ୍ତି। ସରକାରୀ ଓକିଲ ଅଜିତ ପଟ୍ଟନାୟକ କୋର୍ଟରେ ମୋକଦ୍ଦମା ପରିଚାଳନା କରୁଥିଲେ।