ଚାକିରି ଦେବା ନାଁରେ ଯୁବକଙ୍କ ଠାରୁ ଟଙ୍କା ନେଇ ଧରାଛୁଆଁ ଦେଉ ନାହାଁନ୍ତି ବିଜେପି ନେତା, ଥାନାରେ ମାମଲା

Published By : Prameya-News7 Bureau | August 02, 2021 IST

କେନ୍ଦୁଝର ୦୨।୦୮: କେନ୍ଦୁଝର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାରଙ୍କ ବିରୋଧରେ ଚାକିରି କରାଇଦେବା ନାଁରେ ଅର୍ଥ ଆଦାୟ ଭଳି ଆସିଛି ସଙ୍ଗିନ୍ ଅଭିଯୋଗ। ଆନନ୍ଦପୁର ବ୍ଲକ୍ ଶାଳବଣି ଗ୍ରାମର ୨ଜଣ ଯୁବକ ନେତାଙ୍କ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ। ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ମହେଶ୍ଵର ସାହୁ ଓ ଶକ୍ତି ପ୍ରସାଦ ନାଥଙ୍କ ଠାରୁ ବିଦ୍ୟୁତ୍ ବିଭାଗରେ ବିଲ୍ କଲେକ୍ସନ୍ ଓ ଧାମରା ପୋର୍ଟରେ ଚାକିରି କରାଇଦେବା କହି ଯଥାକ୍ରମେ ୪୦ ହଜାର ଓ ୨୦ ହଜାର ଟଙ୍କା ନେଇଥିଲେ ଜ୍ଞାନ। ଚାକିରି କରିଦେବା ନାଁରେ ଏହି ଦୁଇ ଜଣଙ୍କଠୁ ପ୍ରାୟ ବର୍ଷେ  ହେବ ଟଙ୍କା ନେଇଥିଲେ। ହେଲେ ସେ ନା ଚାକିରି କରାଇ ଦେଇଛନ୍ତି ନା ଟଙ୍କା ଫେରାଇଛନ୍ତି। ବାଧ୍ୟ ହୋଇ ଦୁଇ ଯୁବକ ଜ୍ଞାନଙ୍କ ବିରୋଧରେ ଆନନ୍ଦପୁର ଥାନାରରେ ଏନେଇ ମାମଲା ରୁଜୁ କରିଛନ୍ତି।  ପୋଲିସ୍ ଏଫ ଆଇ ଆର ଗ୍ରହଣକରି ଏ ଦିଗରେ ଉଚିତ୍ ପଦକ୍ଷପ ଗ୍ରହଣ କରିବାର ଆଶ୍ଵସନା ଦେଇଛି।

ସେପଟେ ବିଜେପି ନେତା ଜ୍ଞାନ ରଂଜନ ସାମନ୍ତସିଂହାରଙ୍କୁ  ଫୋନରେ ଯୋଗାଯୋଗ କରିବାରୁ ଏହି ଘଟଣା ମିଥ୍ୟା ବୋଲି କହିବା ସହ ସେ ବାହାରେ ଥିବାରୁ ଫେରିଲେ ଏ ବିଷୟରେ ତାଙ୍କ ମତାମତ ରଖିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.