ପ୍ରେମରେ ପ୍ରତାରଣା ! ପ୍ରେମିକାଙ୍କୁ ମାଡ ମାରି କେନାଲରେ ଫିଙ୍ଗିଦେଲେ ପ୍ରେମିକ ଘରଲୋକେ, ରାତିସାରା ଧାରଣାରେ ବସିଛନ୍ତି ଯୁବତୀ

Published By : Prameya-News7 Bureau | September 19, 2020 IST

ନିଶ୍ଚିନ୍ତକୋଇଲି ୧୯।୯: ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବାରୁ ପ୍ରେମିକଙ୍କ ପରିବାର ଲୋକେ ପ୍ରେମିକାଙ୍କୁ ମାଡ ମାରି ମୁର୍ମୂଷୁ ଅବସ୍ଥାରେ ଫୋପାଡି ଦେଲେ କେନାଲରେ । ଆଉ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା । ପ୍ରେମିକ ଫେରାର ଥିବାବେଳେ ପ୍ରେମିକଙ୍କ ପରିବାର ଲୋକଙ୍କ ପତ୍ତା ମିଳୁନାହିଁ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ହଳଦିଆ ପଂଚାୟତରେ ।

ସୂଚନାଯୋଗ୍ୟ ଯେ, ଗାଁର ସଂପୃକ୍ତ ଯୁବକ ସେହି ପଂଚାୟତ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଇ ଆସୁଥିଲେ । ଖାଲି ସେତିକି ନୁହେଁ ପ୍ରେମିକାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଆଉ ପ୍ରେମିକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ନିଜ ଘରୁ ଟଙ୍କା ଚୋରି କରି ପ୍ରେମିକଙ୍କୁ ଅନେକ ଥର ଟଙ୍କା ଦେଇଛନ୍ତି । ଆଉ ଗତ ଜାନୁଆରୀ ମାସରେ ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କ ଘରେ ସ୍ତ୍ରୀ ଭଳି ଏକ ମାସ ବିତାଇଥିବାର ମଧ୍ୟ ଅଭିଯୋଗ ରହିଛି । ସଂପୃକ୍ତ ଯୁବକଙ୍କ ବାପା ତାଙ୍କୁ ସେତେବେଳେ କହିଥିଲେ ଯେ ତାଙ୍କର ବଡ଼ ପୁଅର ବିବାହ ହୋଇନାହିଁ, ତେଣୁ ତୁମେ ତୁମ ଘରକୁ ପଳାଅ ପୁଅ ବାହାଘର ପରେ ଏଠାକୁ ଆସିବ ଏବଂ ଆମ ଘରେ ରହିବ । ଯଦି ତୁମେ ଏଠାରେ ରହିବ ହୁଏତ ମୋର ବଡ଼ ପୁଅର ବାହାଘରରେ ଅସୁବିଧା ହେବ ଲୋକେ କହିବେ ଯେ, ସାନଭାଇ ବାହା ହୋଇଗଲା ବଡ଼ଭାଇ ଥାଉ ଥାଉ ।

ପ୍ରେମିକଙ୍କ ବାପାଙ୍କ ଏହି ମନଭୁଲା କଥାରେ ରାଜି ହୋଇ ଯୁବତୀ ନିଜ ଘରକୁ ଫେରି ଯାଇଥିଲେ । ଆଉ ବଡ଼ପୁଅର ବାହାଘର ଗତ ମାର୍ଚ୍ଚ ମାସରେ ହୋଇଗଲା । ଏହି ଖବର ପାଇଲା ପରେ ଯୁବତୀ ଜଣଙ୍କ ଗତ ଏପ୍ରିଲ ମାସରେ ପ୍ରେମିକଙ୍କ ଘରକୁ ଆସିଥିଲେ ହେଲେ ମାଡ଼ ଗାଳି ଖାଇ ମାହାଙ୍ଗା ଥାନାର ଦ୍ବାରସ୍ଥ ହୋଇଥିଲେ । ହେଲେ ସେଠାରେ ପୋଲିସ ତାଙ୍କୁ ନ୍ୟାୟ ଦେବ କ'ଣ ବୁଝେଇ ବାଝେଇ ନିଜ ଘରକୁ ବିଦା କରିଦେଇଥିବା ଯୁବତୀ ଅଭିଯୋଗ ଆଣିଛନ୍ତି । ପରେ ପୁଣି ଯୁବତୀ ନିଜ ପ୍ରେମିକଙ୍କ ଘରକୁ ଅନେକ ଥର ଆସିଛନ୍ତି ହେଲେ ଘର ଦୁଆର ମୁହଁରୁ ପରିବାରଠାରୁ ମାଡ଼ ଗାଳି ଖାଇ ଫେରି ଯାଇଛନ୍ତି ।

ଗତକାଲି ସବୁ ସୀମା ଟପି ଗଲେ ସଂପୃକ୍ତ ଯୁବକଙ୍କ ପରିବାର ଲୋକେ । ପ୍ରାୟ ରାତି ୯ଟା ବେଳେ ଯୁବତୀ ତାଙ୍କ ପ୍ରେମିକା ଘରେ ନ୍ୟାୟ ଆଶାରେ ପ‌ହଞ୍ଚିଲା ପରେ ପ୍ରେମିକଙ୍କ ପରିବାର ପକ୍ଷରୁ ଆରମ୍ଭ ହୋଇଗଲା ଅକଥନୀୟ ମାଡ଼ । ଆଉ ଯୁବତୀଙ୍କୁ ପରିବାର ଲୋକେ ମାଡ଼ ମାରି ମାରି ନିକଟରେ ଥିବା ୮ ନମ୍ବର କେନାଲରେ ଫୋପାଡ଼ି ଦେଇ ସମସ୍ତେ ଫେରାର ହୋଇଗଲେ । ଯୁବତୀଙ୍କ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଆଉ ନ୍ୟାୟ ଅପେକ୍ଷାରେ ଓଦା ଲୁଗା ପିନ୍ଧି ବସିଥିଲେ ପ୍ରେମିକାର ଘର ପାଖରେ ।

ସୂଚନା ମୁତାବକ ରାତି ପ୍ରାୟ ୨୦ଟା ସମୟରେ ଭଦ୍ରେଶ୍ବର ଫାଣ୍ଡିର ଦୁଇ କନେଷ୍ଟବଳ ଏକ ବାଇକ୍ ଆସି ପୀଡିତାଙ୍କ ନିକଟରେ ପହଞ୍ଚି ଫେରି ଯାଇଥିଲେ ହେଲେ କୈାଣସି ମହିଳା ପୋଲିସକୁ ପୀଡିତଙ୍କ ପାଖରେ ମୁତୟନ କରିନଥିଲେ । ଫଳରେ ପୀଡିତା ଯୁବତୀ ଜଣଙ୍କ ଭଗବାନଙ୍କ ଭରଷାରେ ସାରା ରାତି ପ୍ରେମିକ ଘର ନିକଟରେ ବସିଥିଲେ । ଆଉ ଏପର୍ଯ୍ୟନ୍ତ ପୀଡିତା ପ୍ରେମିକର ଘର ପାଖରେ ବସିଛନ୍ତି ନ୍ୟାୟ ଆଶାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.