ସଲମାନ ଖାନଙ୍କ ବିରୋଧରେ ଆସିଲା ଠକାମୀ ଅଭିଯୋଗ, ପଚରାଉଚୁରା ପାଇଁ ଡକାଇଲା ଚଣ୍ଡିଗଡ ପୋଲିସ

Published By : Prameya-News7 Bureau | July 08, 2021 IST

ଚଣ୍ଡିଗଡ ୦୮।୦୭:  ବଲିଉଡ ଅଭିନେତା ସଲମାନ ଖାନଙ୍କ ବିରୋଧରେ ଆସିଲା ଠକାମୀ ଅଭିଯୋଗ। ଏମିତି ଅଭିଯୋଗ ଆଣିଛନ୍ତି ଜଣେ ଅଲଙ୍କାର ବ୍ୟବସାୟୀ। ସଲମାନଙ୍କ ସହ ତାଙ୍କ ଭଉଣୀ ଅଲଭିରା ଖାନ ଓ ଅନ୍ୟ ପାଞ୍ଚ ଜଣଙ୍କୁ ପଚରାଉଚୁରା ପାଇଁ ତଲବ କରିଛି ଚଣ୍ଡିଗଡ ପୋଲିସ। ସଲମାନ ଖାନଙ୍କ ସହିତ ଏହି ସବୁ ବ୍ୟକ୍ତିଙ୍କ ବିରୋଧରେ ଚଣ୍ଡିଗଡର ଏକ ବ୍ୟବସାୟୀ ଠକାମୀର କେସ୍ ରୁଜୁ କରିଛନ୍ତି। ପୋଲିସ ଗୁରୁବାର ଏହାର ସୂଚନା ଦେଇ କହିଛି ଯେ, ଅଭିନେତା ଓ ତାଙ୍କ ଭଉଣୀଙ୍କ ବ୍ୟତୀତ ଯେଉଁ  ଲୋକଙ୍କୁ ପଚରାଉଚୁରା ପାଇଁ ଡକାଯାଇଛି, ସେଥିରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ୍।

ବ୍ୟବସାୟୀ ଅରୁଣ ଗୁପ୍ତା ଅଭିଯୋଗରେ କହିଛନ୍ତି, ସେ ୨୦୧୮ରେ ୨-୩ କୋଟି ଟଙ୍କା ଖର୍ଚ୍ଚ କରି 'ବିଙ୍ଗ୍ ହ୍ୟୁମାନ ଜୁଏଲାରୀ' ଷ୍ଟୋର ଆରମ୍ଭ କରିଥିଲେ। ତାଙ୍କୁ ଭରସା ଦିଆଯାଇଥିଲା ଯେ, ତାଙ୍କୁ ସବୁ ପ୍ରକାରର ସମର୍ଥନ ଦିଆଯିବା ସହ ବ୍ରାଣ୍ଡକୁ ପ୍ରମୋଟ୍ କରାଯିବ। ନା ପ୍ରମୋସନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲା ନା ଷ୍ଟୋର ପାଇଁ ସାମଗ୍ରୀ ଯୋଗାଇ ଦିଆଗଲା ବୋଲି ଗୁପ୍ତା କହିଛନ୍ତି।

ସେ ଏହା ମଧ୍ୟ ଦାବି କରିଛନ୍ତି, ତାଙ୍କୁ ଭରସା ଦିଆଯାଇଥିଲା ଯେ, ସଲମାନ ଖାନ ବ୍ରାଣ୍ଡକୁ ପ୍ରମୋଟ୍ କରିବେ, ମାତ୍ର ସେମିତି କିଛି ହେଲା ନାହିଁ। କମ୍ପାନୀର ଅଧିକାରୀଙ୍କ ସହ ଅନେକ ଥର ଯୋଗାଯୋଗ କରାଗଲା, ହେଲେ କିଛି ଫାଇଦା ହେଲା ନାହିଁ। ଯେଉଁ ଷ୍ଟୋରରୁ ସେ ଷ୍ଟୋକ ନେଉଥିଲେ ତାହା ୨୦୨୦ ଫେବୃଆରୀରୁ ବନ୍ଦ ପଡିଛି।

ବ୍ୟବସାୟୀ ଅଭିଯୋଗ କରିଛନ୍ତି, ତାଙ୍କୁ ଏହା ମଧ୍ୟ ଭରସା ଦିଆଯାଇଥିଲା ଯେ, ଶୋରୁମର ଉଦ୍ଧଘାଟନ ପାଇଁ ଖୋସ୍ ସଲମାନ ଖାନ ଆସିବେ, ମାତ୍ର ତାଙ୍କ ଭେଣୋଇ ଆୟୁଷ ଶର୍ମା ଆସିଲେ। ଗୁପ୍ତା ଏହି କେସ୍‌ରେ ସଲମାନ ଏବଂ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.