‘ମୋତେ ଠକିଲୁ, ଏବେ ବନ୍ଧା ହେଲୁ’: ପ୍ରତାରକ ଗଲା ଜେଲ୍
1/07/2020 at 3:42 PM

ଭୁବନେଶ୍ୱର ୦୧।୦୭ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାମ ମିହିର ପ୍ରସାଦ ବାରିକ (୩୨) । ଘର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୋଡ଼ିସାହି ଅଞ୍ଚଳର ବୋଲି ଜଣାପଡିଛି । ସେ ରେଣ୍ଟାଲ କଲୋନୀରେ ରହି ଏକ ସେଲୁନ୍ କରିଥିଲେ ।
ପୁଲିସ ସୂଚନା ଅନୁଯାୟୀ, କଟକ ସାଲେପୁର ଅଞ୍ଚଳର ପ୍ରିୟଙ୍କା (ଛଦ୍ମନାମ, ୩୦) ନୂଆପଲ୍ଲୀରେ ଘର ଭଡ଼ା ନେଇ ରହୁଥିଲେ । ସେ ନର୍ସିଂ ଟ୍ରେନିଂ ପରେ କପିଳେଶ୍ୱର ଓ ନୂଆପଲ୍ଲୀରେ ଦୁଇ ରୋଗୀଙ୍କୁ ଘରୋଇ ସେବା କରୁଥିଲେ । ମିହିରଙ୍କ ସହ ତାଙ୍କର ଭେଟ ହେବା ପରେ ପ୍ରିୟଙ୍କା ତାଙ୍କ ଭଉଣୀଙ୍କ ପାଇଁ ବିବାହ ଠିକ୍ କରିଦେବାକୁ ମିହିରଙ୍କୁ କହିଥିଲେ । କିନ୍ତୁ ମିହିର ପ୍ରିୟଙ୍କାଙ୍କୁ ଭଲ ପାଉଥିବା ଓ ବିବାହ କରିବାକୁ ଚାହୁଁଥିବା ପ୍ରସ୍ତାବ ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ମିହିର ପ୍ରିୟଙ୍କାଙ୍କ ସହ ଦୈହିକ ସଂପର୍କ ରଖିଥିଲେ । ତେବେ ୬ ମାସ ହେବ ମିହିରଙ୍କର ଆଉ ଦେଖା ଦର୍ଶନ ମିଳିନଥିଲା । ପ୍ରିୟଙ୍କା ମୋବାଇଲରେ ଯୋଗାଯୋଗ କରୁଥିଲେ ମଧ୍ୟ ମିହିର ଫୋନ୍ ଉଠାଉ ନଥିଲେ ।
ଏହା ଭିତରେ ମିହିରଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ଦିନ ଧାର୍ଯ୍ୟ ହୋଇଥିଲା । ତାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା । ଏହି ଖବର ପାଇବା ପରେ ପ୍ରିୟଙ୍କା ସଂପୃକ୍ତ ଯୁବତୀଙ୍କ ଘରେ ପହଞ୍ଚି ମିହିର ଓ ତାଙ୍କ ସଂପର୍କ ବିଷୟରେ ଜଣାଇଥିଲେ । ତେଣୁ ମିହିରଙ୍କର ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା । ସେପଟେ ପ୍ରତାରଣାର ଶିକାର ପ୍ରିୟଙ୍କା ମିହିରଙ୍କ ବିରୋଧରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ । ବିଳମ୍ବିତ ରାତିରେ ପୁଲିସ ଖୋର୍ଦ୍ଧା ଗୋଡ଼ିସାହିରେ ଚଢ଼ାଉ କରି ମିହିରଙ୍କୁ ଗିରଫ କରିଥିଲା । ପରେ ମିହିରଙ୍କୁ କୋର୍ଟ ଚାଲାଣ କରାଯାଇଛି ।