ନକ୍ସଲ ଦମନରେ କମାଇଛନ୍ତି ନାଁ, ଏବେ ଆତଙ୍କବାଦୀଙ୍କୁ କରିବେ ଟାର୍ଗେଟ୍: ଚାରୁ ସିହ୍ନା ଶ୍ରୀନଗରର ପ୍ରଥମ ମହିଳା ସିଆରପିଏଫ ଆଇଜି

Published By : Prameya-News7 Bureau | September 01, 2020 IST

ଶ୍ରୀନଗର ୦୧।୦୯: ପ୍ରଥମ ଥର ଜାମ୍ମୁ-କାଶ୍ମୀରର ସବୁଠୁ ଆତଙ୍କ ପ୍ରଭାବିତ ଅଞ୍ଚଳ ଶ୍ରୀନଗର ସେକ୍ଟରରେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ ସିଆରପିଏଫର ଇନ୍ସପେକ୍ଟର ଜେନେରାଲ(ଆଇଜି)ପଦରେ ନିଯୁକ୍ତ କରାଯାଇଛି। ୧୯୯୬ ବ୍ୟାଚର ତେଲେଙ୍ଗାନା କ୍ୟାଡରର ଆଇପିଏସ ଅଧିକାରୀ ଚାରୁ ସିହ୍ନା ଏବେ ସିଆରପିଏଫର ମହାନୀରିକ୍ଷକ(ଆଇଜି) ଭାବେ ଶ୍ରୀନଗର ସେକ୍ଟରର କମାନ ସମ୍ଭାଳିଛନ୍ତି। ପ୍ରଥମ ଥର ତାଙ୍କୁ ଏହି କଠିନ ଦାୟିତ୍ଵ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ସେ ବିହାର ସେକ୍ଟରରେ ସିଆରପିଏଫର ଆଇଜି ପଦରେ କାମ କରିବା ସହ ନକ୍ସଲଙ୍କ ମୁକାବିଲା କରି ସାରିଛନ୍ତି।

ବିହାର ସେକ୍ଟରରେ ଚାରୁ ସିହ୍ନା ନେତୃତ୍ଵରେ ବିଭିନ୍ନ ନକ୍ସଲ ବିରୋଧୀ ଅପରେସନ ଚଳାଯାଇଥିଲା। ପରେ ତାଙ୍କୁ ସିଆରପିଏଫର ଆଇଜି ଭାବେ ଜାମ୍ମୁ ଟ୍ରାନ୍ସଫର କରାଯାଇଥିଲା। ଏଠାରେ ସେ ଲମ୍ବା ଏବଂ ସଫଳ କାର୍ଯ୍ୟକାଳ ଅତିବାହିତ କରିଛନ୍ତି। ସୋମବାର ଜାରି ସଦ୍ୟତମ ଆଦେଶରେ ତାଙ୍କୁ ଶ୍ରୀନଗର ସେକ୍ଟରର ଆଇଜି ଭାବେ ନିଯୁକ୍ତ କରାଯାଇଛି।

ବର୍ତ୍ତମାନ ସିଆରପିଏଫ ମହାନିର୍ଦ୍ଦେଶକ ଏପି ମାହେଶ୍ଵରୀ ମଧ୍ୟ ୨୦୦୫ରେ ଆଇଜି ଭାବେ ଶ୍ରୀନଗର ସେକ୍ଟରର ନେତୃତ୍ଵ ନେଇଥିଲେ। ୨୦୦୫ରୁ ଆରମ୍ଭ ହୋଇଥିବା ଏହି ସେକ୍ଟରରେ କେବେ ବି ଆଇଜିସ୍ତରରେ ମହିଳା ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନାହିଁ। ପ୍ରଥମ ଥର ମହିଳା ଆଇଜି ଭାବେ ଚାରୁ ସିହ୍ନା ଏହି ପଦ ସମ୍ଭାଳିବେ। ଏହି ସେକ୍ଟରର କାମ ଆତଙ୍କ ବିରୋଧୀ ଅଭିଯାନରେ ସେନା ଓ ଜାମ୍ମୁ-କାଶ୍ମୀର ପୋଲିସକୁ ସହାୟତା ପ୍ରଦାନ କରିବା।

ସିଆରପିଏଫ ଅନୁଯାୟୀ ସିଆରପିଏଫର ଶ୍ରୀନଗର ସେକ୍ଟରରେ ଜାମ୍ମୁ-କାଶ୍ମୀରର ତିନି ଜିଲ୍ଲା ବଡଗାମ, ଗାନ୍ଦରବଲ ଓ ଶ୍ରୀନଗର ଓ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଆସିଥାଏ। ଏହି ସେକ୍ଟରରେ ୨ ରେଞ୍ଜ, ୨୨ କାର୍ଯ୍ୟକାରୀ ୟୁନିଟ୍ ଓ ତିନି ମହିଳା କମ୍ପାନୀ ରହିଛି। ଏହା ବ୍ୟତୀତ ଶ୍ରୀନଗର ସେକ୍ଟରର ଗ୍ରୁପ ସେଣ୍ଟର-ଶ୍ରୀନଗର ଉପରେ ପ୍ରଶାସନିକ ନିୟନ୍ତ୍ରଣ ମଧ୍ୟ ରହିଛି। ଏହି ଇଲାକାରେ ହେବାକୁ ଥିବା ସମସ୍ତ ଅପରେସନରେ ଚାରୁ ସିହ୍ନା ନେତୃତ୍ଵ ନେବେ।

ସୂଚନାଯୋଗ୍ୟ, ଆଇପିଏସ ଅଫିସର ଚାରୁ ସିହ୍ନା ୨୦୧୮ ଏପ୍ରିଲରେ ସିଆରପିଏଫ ବିହାର ସେକ୍ଟର ନୂତନ ଆଇଜି ହୋଇଥିଲେ। ଏହା ପୂର୍ବରୁ ତେଲେଙ୍ଗାନା ପୋଲିସରେ ନିର୍ଦ୍ଦେଶକ ଏସିବି ପଦରେ କାର୍ଯ୍ୟରତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.