ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍ ୱେରେ ଚାର୍ଟଡ ପ୍ଲେନର ଜରୁରି ଅବତରଣ, ପାଇଲଟ ସୁରକ୍ଷିତ
23/01/2020 at 3:15 PM

ଗାଜିଆବାଦ ୨୩।୧: ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍ ୱେର ମସୁରି ଥାନା ଅଞ୍ଚଳରେ ଗୁରୁବାର ଏକ ବିମାନ ଜରୁରି ଅବତରଣ କରିବା ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ଅବତରଣ କରିଥିବା ବିମାନଟି ଏକ ଚାର୍ଟଡ ପ୍ଲେନ ଓ ବୈଷୟିକ ତ୍ରୁଟି ଯୋଗୁ ପାଇଲଟ ରାସ୍ତା ଉପରେ ଜରୁରି ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ତେବେ ଅବତରଣ ବେଳେ ବିମାନ ସନ୍ତୁଳନ ହରାଇବାରୁ ଏହାର ବାମ ପଟ ଡେଣା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ବାୟୁସେନା କର୍ମଚାରୀମାନେ ପାଇଲଟଙ୍କୁ ବିମାନରୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ତେବେ ରାସ୍ତା ଉପରେ ଅଚାନକ ବିମାନ ଅବତରଣ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ରାସ୍ତାକଡ ଗ୍ରାମର ଲୋକେ ବିମାନ ଦେଖିବାକୁ ରାସ୍ତା ଉପରକୁ ଚାଲିଆସିଥିବା ବେଳେ ସ଼ଡକରେ ଯାନବାହନ ଜାମ ଲାଗିଯାଇଥିଲା। ତେବେ ପରେ ରାସ୍ତାରେ ଟ୍ରାଫିକ ଚଳାଚଳ ନିୟନ୍ତ୍ରିତ ହୋଇଥିବା ଜଣାପଡିଛି।

ତେବେ କେଉଁ ଭଳି ପରିସ୍ଥିତିରେ ପାଇଲଟ ସଡକ ଉପରେ ବିମାନକୁ ଅବତରଣ କରାଇଲେ ତାହା ସ୍ପଷ୍ଟ ହୋଇନଥିଲେ ହେଁ ବିମାନର ଆଗ ଚକ ରାସ୍ତାକଡ ବାଡରେ ବାଡେଇ ହୋଇ ଭାଙ୍ଗିଯାଇଥିବା ବେଳେ ବାମପଟ ଡେଣା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଫଟୋରୁ ଦେଖିହେଉଛି। ବିମାନରେ ପାଇଲଟଙ୍କ ସହ କେହି ଯାତ୍ରୀ ଥିଲେ କି ନା ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ।