ବିରଜାଙ୍କ ମହାନବମୀ ପୂଜା : ରଥଯାତ୍ରା ଦେଖିବା ପାଇଁ ପୀଠରେ ନାହିଁ ନଥିବା ଭିଡ

Published By : Prameya-News7 Bureau | October 18, 2018 IST

ଯାଜପୁର ୧୮|୧୦: ଶକ୍ତିପୀଠ ମା’ ବିରଜାଙ୍କ କ୍ଷେତ୍ରରେ ମହାନବମୀ ବେଶ ଜାକଜକମରେ ସମ୍ପନ୍ନ ହୋଇଛି। ଚଳଚଞ୍ଚଳ ହୋଇଥିଲା ମା’ ବିରଜାଙ୍କ କ୍ଷେତ୍ର। ପରମ୍ପରା ଅନୁଯାୟୀ ବଡି ଭୋରରୁ ମା’ଙ୍କ ମହାସ୍ନାନ କରାଯାଇଥିଲା। ବଡଶାସନର ବ୍ରାହ୍ମଣ ଓ ବ୍ରାହ୍ମଣୀ  ବୈତରଣୀ ଦଶାଶ୍ବମେଧ ଘାଟରୁ  ଜଳ ଆଣି ମା’ଙ୍କୁ ଲାଗି କରିଥିଲେ। ମା’ଙ୍କ ମହାସ୍ନାନ ପାଇଁ କେହି କେହି ଶ୍ରଦ୍ଧାଳୁ ମାନସିକ କରି ଖିର, ଚୂଆ , ବଟାହଳଦୀ ଗନ୍ଧଗୋଳା, ମହୁ ଓ ପଇଡ ଲାଗି କରିଥିଲେ। ମହାସ୍ନାନ କରାଯିବା ପରେ ମା’ଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଗର୍ଭ ଗୃହକୁ ଛଡାଯାଇଥିଲା । ନବରାତ୍ରୀ ସମୟରେ ମା’ଙ୍କୁ ସ୍ପର୍ଶ କଲେ ବା ମା’ଙ୍କ ପାଦଦର୍ଶନ କଲେ ସମସ୍ତ  ପାପ ତାପ ନାଶ ହୋଇଥାଏ ବୋଲି ବିଶ୍ବାସ  ରହିଛି । ମହାନବମୀ ଅବସରରେ ମା’ଙ୍କ ରଥଯାତ୍ରା ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ମଧ୍ୟ ରାତ୍ରୀରେ ମା’ଙ୍କ ସିଂହାସନ ସମ୍ମୁଖରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଧର୍ମାଧିକାରୀ, ପୂଜକ, ପଳିଆ, ଲାଖ, ସମିଧ, ଆର୍ଶା ମା’ଙ୍କ ପାଇଁ ନିୟୋଜିତ ସମସ୍ତ  ସେବାୟତଙ୍କୁ ଶିରିପା ବନ୍ଧା ଯାଇଥିଲା । ପରେ ରଥରେ ମା’ଙ୍କ ବିଜେ ପ୍ରତିମାକୁ ପୂଜା ଅର୍ଚ୍ଚନା କରାଯାଇଥିଲା ।  ପରେ ଏକ ସୁସଜ୍ଜିତ  ବିମାନରେ ମା’ଙ୍କୁ ବିରାଂଗନା ବେଶରେ ପଡିଆକୁ ନିଆଯାଇଥିଲା । ଏହି ସମୟରେ ଘଂଟ, ବାଦ୍ୟ, ଶଙ୍ଖ ତୁରୀ, କିର୍ତନ ମଣ୍ଡଳିଙ୍କ  କୀର୍ତ୍ତନରେ ପୂରା ପରିବେଶ କମ୍ପିଥିଲା। ପୂଜା ଅର୍ଚ୍ଚନା ସରିବା ପରେ  ମହିଷାସୁର ନିଧନ ପାଇଁ ଲାଖଧାରୀ ପୂଜକ ଚର୍ତୁଦିଗକୁ ଶର ନିକ୍ଷେପ କରିଥିଲେ । ମହିଷାସୁରର ସନ୍ଧାନ ପାଇ ମା’ ମନ୍ଦିରକୁ ଫେରିଥିଲେ । ମା’ଙ୍କ  ମନ୍ଦିର ପ୍ରବେଶ ପରେ ଫୁଟା ପଣା ଲାଗି କରାଯାଇଥିଲା । ମା’ ବିରଜାଙ୍କ ପୀଠରେ ଏହି ପରମ୍ପରା କାହିଁ କେଉଁକାଳରୁ ପ୍ରଚଳିତ ହୋଇ ଆସୁଛି । ବିରଜାଙ୍କ ପୀଠରେ ନବଦିନ ଚାଲିଥିବା ଶୋଡଶ ଦିବସୀୟ  ପୂଜାର ଉଦଯାପନ ହୋଇଛି । ଘଟ ବିର୍ସଜନ ପରେ ପାର୍ବଣ ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.