କେବଳ ପୁରୀ ନୁହେଁ ବୃନ୍ଦାବନରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି, ରୂପା ରଥରେ ଚଢି ଭକ୍ତଙ୍କୁ ଦର୍ଶନ ଦେବେ ବାଙ୍କେବିହାରୀ
29/06/2019 at 10:12 PM

ମଥୁରା: କେବଳ ପୁରୀ ନୁହେଁ ମଥୁରାର ବୃନ୍ଦାବନରେ ମଧ୍ୟ ଆଷାଢ ଶୁକ୍ଲ ଦ୍ବିତୀୟାରେ ଅନୁଷ୍ଠିତ ହୁଏ ବାଙ୍କେବିହାରୀଙ୍କ ପ୍ରସିଦ୍ଧ ରଥଯାତ୍ରା। ୧୬୦ କେଜି ଓଜନର ଚାନ୍ଦି ନିର୍ମିତ ରଥରେ ଚଢି ବାଙ୍କେବିହାରୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଚଳିତବର୍ଷ ଜୁଲାଇ ୪ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଏଣୁ ବାଙ୍କେବିହାରୀଙ୍କ ରଥଯାତ୍ରା ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ରଥଯାତ୍ରା ନେଇ ବାଙ୍କେବିହାରୀ ମନ୍ଦିରର ସେବାୟତ ବୃଜେନ୍ଦ୍ର କିଶୋର ଗୋସ୍ବାମୀ ଓ ଜ୍ଞାନେନ୍ଦ୍ର କିଶୋର ଗୋସ୍ବାମୀ ପ୍ରସ୍ତୁତି ସୂଚନା ଦେଇଥିବା ବେଳେ ଜୁଲାଇ ୪ ତାରିଖ ସକାଳ ସାଢେ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜଗମୋହନରେ ଠାକୁରଙ୍କ ଦର୍ଶନ ହୋଇ ପାରିବ ବୋଲି କହିଛନ୍ତି। ପରେ ବିହାରୀଙ୍କୁ ଗର୍ଭଗୃହରୁ ବାହାରକୁ ଅଣାଯାଇ ରଥାଋଢ କରାଯିବ। ପୂର୍ବରୁ ବାଙ୍କେବିହାରୀଙ୍କ ରଥଯାତ୍ରା ହେଉନଥିଲା। ତେବେ ଏଥିପାଇଁ ଚନ୍ଦ୍ର ଆନନ୍ଦ ନିକୁଞ୍ଜବିହାରୀ ଚାରିଟେବଲ ଟ୍ରଷ୍ଟ ସହଯୋଗରେ ଭକ୍ତମାନେ ଏକ ରୂପାରେ ରଥ ନିର୍ମାଣ କରାଇଥିଲେ। ୨୦୧୩ ମସିହାରେ ଏହି ରଥର ନିର୍ମାଣ କାମ ସରିବା ସହ ବାଙ୍କେବିହାରୀଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।

ରଥକୁ ଦେଶୀ ଓ ବିଦେଶୀ ଫୁଲରେ ସଜା ଯାଇ ବାଙ୍କେବିହାରୀଙ୍କୁ ନଗର ପରିକ୍ରମା କରାଯିବା ପରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଥାଏ। କୁହାଯାଏ ବୃନ୍ଦାବନର ବାଙ୍କେବିହାରୀ ରହସ୍ୟମୟ ଦେବତା । ତାଙ୍କର ଯେଉଁ ବିଗ୍ରହ ପୂଜିତ ହେଉଛନ୍ତି ତାକୁ କେହି ନିର୍ମାଣ କରିନାହାନ୍ତି ସେ ଭକ୍ତ ଶିରୋମଣି ସ୍ବାମୀ ହରିଦାସଜୀଙ୍କ ସଙ୍ଗୀତରୁ ପ୍ରକଟ ହୋଇଥିଲେ। ଏପରିକି ତାଙ୍କ ମନ୍ଦିର ଓ ଜଗମୋହନକୁ ବି କେହି ନି୍ର୍ମାଣ କରିନାହାନ୍ତି ତାହା ସ୍ବୟମ୍ଭୁ ବୋଲି କୁହାଯାଏ।