ରଥଭଙ୍ଗା କାମ ଆରମ୍ଭ, ଏଥର ସଂଗ୍ରହାଳୟରେ ରହିବ ତିନି ରଥ

Published By : Prameya-News7 Bureau | July 29, 2020 IST

ପୁରୀ ୨୯।୭: ଚଳିତବର୍ଷ ଐତିହାସିକ ରଥଯାତ୍ରାରେ ବ୍ୟବହୃତ ତିନିରଥ ରହିବ ସଂଗ୍ରହାଳୟରେ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଖୋଲିବା କାର୍ଯ୍ୟ। ବିଶ୍ବକର୍ମା ମହାରଣା, ଭୋଇ ଓ ଓଝା ମହାରଣା ସେବାୟତମାନେ ରଥକୁ ଖୋଲିବା ପରେ ଏହାକୁ ନେଇ ଜଗନ୍ନାଥ ବଲ୍ଲଭ ମଠରେ ପୁନଃ ନିର୍ମାଣ କରିବେ। ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ଚର୍ମ ଚକ୍ଷୁରୁ ରଥଯାତ୍ରା ଦେଖିପାରିନଥିବା ଭକ୍ତ ସଂଗ୍ରହାଳୟରେ ଦେଖିବେ ତିନି ରଥକୁ।

{"id":307260,"sizeSlug":"large"}

ଚଳିତବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ସଂଗ୍ରହାଳୟରେ ରଖାଯିବ। ଏପରି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ତିନି ରଥକୁ ସଂରକ୍ଷିତ କରି ସଂଗ୍ରହାଳୟରେ ରଖିବାକୁ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବ ମୁତାବକ ସିଂହଦ୍ବାରରେ ଥିବା ତିନି ରଥକୁ ଖୋଲାଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ରଖାଯିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି କାମ । ପ୍ରାଥମିକ ଭାବେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଭାଙ୍ଗିବାର କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା, ଭୋଇ ଓ ଓଝା ମହାରଣା ସେବାୟତମାନେ।

{"id":307261,"sizeSlug":"large"}

ଇତିହାସରେ ପ୍ରଥମ ଥର ପାଇଁ ତିନି ରଥକୁ ଭଙ୍ଗାନଯାଇ ଏହାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ହୋଇଛି। ରଥର କାଠଗୁଡ଼ିକୁ କୌଶଳ କ୍ରମେ କଢ଼ାଯାଇ ସେଗୁଡ଼ିକୁ ରାସାୟନିକ ପଦାର୍ଥ ଦିଆଯାଇ ସଂରକ୍ଷଣ କରାଯିବ। ଯେଉଁ ରଥ କାଠ ଗୁଡ଼ିକ ଭାଙ୍ଗିଯିବ ସେଗୁଡ଼ିକ ମଧ୍ୟ ପୁନଃ ନିର୍ମାଣ କରିବେ ବିଶ୍ବକର୍ମା ମହାରଣା । ଏପରିକି ପ୍ରତ୍ୟେକ ବର୍ଷ ନିର୍ମାଣ ହେଉନଥିବା ସାରଥି, ଘୋଡ଼ା, ପାର୍ଶ୍ବଦେବତାଙ୍କୁ ଶାଳ, ପିଆଶାଳ ପ୍ରଭୃତି ଭଲ କାଠ ବ୍ୟବହାର କରି ପୁନଃ ନିର୍ମାଣ କରାଯିବ। ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଭୋଇ ସେବାୟତମାନେ ଏହି ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛନ୍ତି।

{"id":307262,"sizeSlug":"large"}

ପ୍ରାୟ ଏକମାସ ମଧ୍ୟରେ ତିନି ରଥକୁ ସଂପୂର୍ଣ୍ଣ ଭଙ୍ଗାଯାଇ ପୁନଃ ନିର୍ମାଣ କରାଯିବ । ଜଗନ୍ନାଥବଲ୍ଲଭ ମଠରେ ତିନିରଥ ସୁନ୍ଦର ପରିବେଶ ମଧ୍ୟରେ ସଂରକ୍ଷଣ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.