ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରୁ ହଟିଲା ଟିପୁ ସୁଲତାନ ଓ ପିତା ହାଇଦର ଅଲିଙ୍କ ଚାପଟର

Published By : Prameya-News7 Bureau | July 28, 2020 IST

ବେଙ୍ଗାଲୁରୁ ୨୮।୦୭: ୧୮ମ ଶତାବ୍ଦୀର ବିବାଦୀୟ ମହୀଶୂର ଶାସକ ଟିପୁ ସୁଲତାନ ଓ ତାଙ୍କ ପିତା ହାଇଦର ଅଲିଙ୍କ ବିଷୟକୁ ସପ୍ତମ ଶ୍ରେଣୀର ପାଠ୍ୟପୁସ୍ତକରୁ ହଟାଇ ଦିଆଯାଇଛି। କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୦-୨୧ ସିଲାବସ୍‌କୁ କମ କରିବା ପାଇଁ କର୍ଣ୍ଣାଟକ ସରକାର ଚୟନ କରିଥିବା ବିଷୟ ମଧ୍ୟରେ ଟିପୁ ସୁଲତାନ ଓ ତାଙ୍କ ପିତା ହାଇଦର ଅଲିଙ୍କ ବିଷୟ ସାମିଲ।

କର୍ଣ୍ଣାଟକ ଟେକ୍‌ଷ୍ଟ ବୁକ୍ ସୋସାଇଟି(କେଟିବିଏସ) ଓ୍ଵେବସାଇଟ୍‌ରେ ଅପଲୋଡ୍ ସଂଶୋଧିତ ପାଠ୍ୟକ୍ରମ ଅନୁଯାୟୀ ସପ୍ତମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟାୟ ୫ରେ ହାଇଦର ଅଲି ଓ ଟିପୁ ସୁଲତାନ, ମହୀଶୂରର ଐତିହାସିକ ସ୍ଥାନ ଆଦି ବିଷୟ ବସ୍ତୁକୁ ପ୍ରଶାସନ ସିଲାବସରୁ ହଟାଇଛନ୍ତି। ଲୋକ ନିର୍ଦ୍ଦେଶ ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ମହାମାରୀ ଓ ବ୍ୟବଧାନକୁ ଦୃଷ୍ଟିରେ ରଖି ୨୦୨୦-୨୧ ପାଇଁ ପାଠ୍ୟକ୍ରମକୁ କମ କରିବାକୁ ନିର୍ଣ୍ଣୟ ନିଆଯାଇଛି। ଏହି ବିଷୟକୁ ସିଲାବସରୁ ହଟାଯିବା ପ୍ରଶ୍ନର ଉତ୍ତରରେ ଅଧିକାରୀ  କହିଛନ୍ତି ବିଦ୍ୟାର୍ଥୀ ଟିପୁଙ୍କ ବିଷୟରେ ଷଷ୍ଠ ଓ ଦଶମ ଶ୍ରେଣୀରେ ପଢୁଛନ୍ତି। ତେଣୁ କୋଭିଡ୍-୧୯ ସ୍ଥିତିକୁ ଦେଖି ଏହି ପରି ପଦକ୍ଷେପ ନିଆଯାଇଛି।

କିଛି ମାସ ପୂର୍ବେ ଟିପୁ ସୁଲତାନଙ୍କ ମହାନତା ବିଷୟରେ ଦର୍ଶାଉଥିବା ପାଠ୍ୟପୁସ୍ତକରେ ଏକ ଅଧ୍ୟାୟ ହଟାଇବା ନେଇ କିଛି ବିଜେପି ନେତାଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ଅନୁଧ୍ୟାନ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ମାତ୍ର କମିଟି ସୁପାରିଶ କରିଥିଲା ଯେ, ଟିପୁ ସୁଲତାନଙ୍କ ବିଷୟକୁ ସ୍କୁଲ ପାଠ୍ୟକ୍ରମରେ ଅଣଦେଖା କରାଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.