Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାରସୁଗୁଡା ବିମାନବନ୍ଦର ପାଇଁ ଧକ୍କା : ମଉଳିଲା ଉଡାନ ଆଶା, ଝାରସୁଗୁଡା ଯିବେନି ପ୍ରଧାନମନ୍ତ୍ରୀ ମୋଦି

ଝାରସୁଗୁଡା ୧୩/୧ : ମଉଳିଗଲା ଉଡାନ ଆଶା | ମୋଦି ଆସିବେନି ଝାରସୁଗୁଡା | ରାୟପୁର ଆସି ସେଠାରୁ ବଲାଙ୍ଗୀର ଯିବେ ମୋଦି | ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ବିମାନରେ ଆସି ସେଠାରୁ ଝାରସୁଗୁଡା ବିମାନବନ୍ଦରରୁ ହେଲିକେପ୍ଟରରେ ବ୍ଳନଗୀର ଯିବାର କାର୍ଯ୍ୟକ୍ରମ ରହିଥିଲା | କିନ୍ତୁ ଶନିବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି | ମୋଦି ଝାରସୁଗୁଡା ପରିବର୍ତ୍ତେ ରାୟପୁର ଠାରେ ଓହ୍ଲାଇ ସେଠାରୁ ବଲାଙ୍ଗୀର ଆସିବେ ବୋଲି ନୂଆ କାର୍ଯ୍ୟକ୍ରମ ପ୍ରୂସ୍ତୁତ କରାଯାଇଛି | ମୋଦିଙ୍କ ଗସ୍ତ ପାଇଁ ସେଠାରେ ଯେଉଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା ତାହା ଥଣ୍ଡା ପଡିଯାଇଛି | ମୋଦିଙ୍କ ଗସ୍ତର କାର୍ଯ୍ୟସୂଚୀ ପରିବର୍ତ୍ତନ ଝାରସୁଗୁଡା ବିମାନବନ୍ଦର ପାଇଁ ଏକ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହେଉଛି | କାରଣ ମୋଦି ଝାରସୁଗୁଡା ଯାଇଥିଲେ ସେଠାରେ ବନ୍ଦ ପଡିଥିବା ଉଡାନ ଯୋଜନାକୁ ଜୀବନ୍ୟାସ ମିଳିଥାନ୍ତା ବୋଲି ଆଶା ପ୍ରକାଶ ପାଇଥିଲା | ଝାରସୁଗୁଡା ଦେଇ ଭୁବନେଶ୍ୱର ଦିଲ୍ଲୀ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଯେଉଁ ପ୍ରସ୍ତାବ ଦେଇଥିଲେ ତା ପାଇଁ ବାଟ ଫିଟିଥାନ୍ତା | କିନ୍ତୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇ ସବୁ ଆଶା ମଉଳି ଯାଇଛି |


ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡା ଆସି ଖୁବ ଧୂମଧାମରେ ଝାରସୁଗୁଡା ବିମାନବନ୍ଦରର ଉଦଘାଟନ କରିଥିଲେ | ଉଦଘାଟନ ପରେ ଉଡାନ ଯୋଜନାରୁ ହିଁ ଉଡାନ ଆରମ୍ଭ ହୋଇଥିଲା | ଏୟାର ଓଡିଶା ଉଡାନ ଦାୟିତ୍ୱ ନେଇଥିଲା | ଏୟାର ଓଡିଶା ଉଡାନ ଯୋଜନା ସହିତ ଯେଉଁ ଚୁକ୍ତି ହୋଇଥିଲା ସେହି ଚୁକ୍ତିକୁ ଖିଲାପ କରିବାରୁ ପରବର୍ତ୍ତୀ ସମୟରେ ଉଡାନ ଯୋଜନା ବନ୍ଦ ହୋଇଯାଇଥିଲା | ପ୍ରାୟ ୩ ମାସ ହେଲା ଝାରସୁଗୁଡାରୁ ବିମାନ ଉଡାଣ ବନ୍ଦ ରହିଛି | ଉଡାନ ଯୋଜନା ଅନ୍ତର୍ଗତ ନୂତନ ବିମାନ ଚଳାଚଳ କମ୍ପାନୀକୁ ସାମିଲ କରିବା ପାଇଁ ଦାବି ହୋଇଥିଲା | ଏହାକୁ ନେଇ ଏକ ଟେଣ୍ଡର ମଧ୍ୟ ବାହାରିଥିଲା | ୩ଟି କମ୍ପାନୀ ଏହାକୁ ନେଇ ବିଡ ପକେଇଛନ୍ତି |


ସୂଚନା ମିଳିଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଝାରସୁଗୁଡା ଦେଇ ଯିବ | କିନ୍ତୁ ଗତକାଲି ସନ୍ଧ୍ୟାରେ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ବଦଳିଯାଇଛି | ମୋଦିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଥିଲା | ଡ଼ିଆଇଜି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ବୁଝିଥିଲେ | ଜହରଗୁଡ଼ୁଦା ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଉଡାନ ଯୋଜନା ବିଷୟରେ କିଛି ନୂଆ ସୂଚନା ମିଳିବା ନେଇ ଝାରସୁଗୁଡ଼ାବାସୀ ଉତ୍ସୁକ ଥିଲେ | ମୋଦିଙ୍କ ଗସ୍ତ ପରେ ଝାରସୁଗୁଡାରୁ ବିମାନ ଉଡାଣ ସମ୍ଭାବନା ମଧ୍ୟ ଦିଶୁଥିଲା | କିନ୍ତୁ ମୋଦିଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ପରେ ଶେଷ ମୁହୂର୍ତ୍ତରେ ସବୁ ଆଶା ମଉଳି ଯାଇଛି |

192 Views

   ସମ୍ବନ୍ଧିତ ଖବର