ମହାରାଷ୍ଟ୍ର ରାଜନୀତିରେ ହଲଚଲ୍‌ - ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ମହାବିକାଶ ଅଘାଡିରେ ଫାଟ

Published By : Prameya-News7 Bureau | December 31, 2019 IST

ମୁମ୍ବାଇ - ୩୧।୧୨ - ମହାରାଷ୍ଟ୍ର ରାଜନୀତିରେ ଏବେ ରାଜନୈତିକ ପାଣିପାଗ ପୁଣି ବଦଳିବା ପରି ଦେଖାଯାଉଛି। ଶିବସେନାର ମୁକ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ସହ ସହଯୋଗୀ ଏନ୍‌ସିପିରେ ଝଡ ଉଠିଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବାରୁ ଜଣେ ବରିଷ୍ଠ ବିଧାୟକ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । କେବଳ ଏନ୍‌ସିପି ନୁହେଁ ଶିବସେନାର ଅନେକ ବିଧାୟକ ଖୋଲଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କଲେଣି । ସୋମବାର ବିଳମ୍ବିତ ରାତିରେ ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏବି ଚାଲିଥିବା ରାଜନୀତି ପାଇଁ ସେ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ।

ମହାରାଷ୍ଟ୍ରର ବିଡ ମଜଲଗାଁ ଆସନରୁ ସେ ଚତୁର୍ଥଥର ପାଇଁ ବିଜୟ ଲାଭ କରିଥିଲେ । ମଙ୍ଗଳବାରରେ ସେ ବିଧାନସଭା ଅଧ୍ୟକ୍ଷକୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ନ ମିଳିବା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।

ପୂର୍ବରୁ ସେ ଏନ୍‌ସିପି ଓ କଂଗ୍ରେସର ସରକାର ଥିବା ସମୟରେ ମନ୍ତ୍ରୀ ଥିଲେ । ସେ ୩୦ ବର୍ଷ ଧରି ରାଜନୀତି କରୁଥିଲେ କିନ୍ତୁ ଆଜିର ପରିସ୍ଥିତି ପରି ପରିସ୍ଥିତିକୁ ସେ ସାମ୍ନା କରି ନଥିବା କଥା କହିଛନ୍ତି । ଏବେ ତାଙ୍କ ପରିଲୋକଙ୍କର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଏବେ ସୋଲାଙ୍କେଙ୍କ ଇସ୍ତଫା ସହ ମହାବିକାଶ ଅଘାଡିରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ଭାବେ ଜଣା ପଡିଲାଣି ।

ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଶିବସେନାର ସଞ୍ଜୟ ରାଉତ ପହଞ୍ଚି ନଥିଲେ । ତାଙ୍କ ଭାଇ ତଥା ବିଧାୟକ ସୁନୀଲ ରାଉତଙ୍କୁ ମନ୍ତ୍ରୀ ପଦ ନ ମିଳିଥିବାରୁ ସେ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ନଥିବା କଥା ଆଲୋଚନା ହେଉଛି । ତାଙ୍କ ବ୍ୟତୀତ ଶିବସେନାର ଆହୁରି ୬ ଜଣ ବିଧାୟକ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.