ବିବାହ କରିବାକୁ ଯାଉଥିବା ବାଂଲାଦେଶୀ ଝିଅଙ୍କୁ ଏବେ ଆଉ ପଚରାଯାଇପାରିବନି ସେମାନେ ଭର୍ଜିନ(କୁମାରୀ) କି ନୁହଁ, ସର୍ବୋଚ୍ଚ ଅଦାଲତ ଦେଲେ ଏମିତି ନିର୍ଦ୍ଦେଶ …

Published By : Prameya-News7 Bureau | August 27, 2019 IST

ବିବାହ କରିବାକୁ ଯାଉଥିବା ବାଂଲାଦେଶର ଯୁବତୀମାନେ ଏଥର ସେମାନେ ଭର୍ଜିନ ବା କୁମାରୀ କି ନୁହନ୍ତି ତାହା ଘୋଷଣା କରିବାର ଆବଶ୍ୟକତା ନାହିଁ । ଏବେ ସେମାନେ କେବଳ ବିବାହିତ କି ଅବିବାହିତ ସେ ସମ୍ପର୍କରେ ଘୋଷଣା କରିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ବାଂଲାଦେଶର ସୁପ୍ରିମ କୋର୍ଟ । ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ଆବଶ୍ୟକୀୟ ପରିବର୍ତ୍ତନ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଙ୍ଗଲାଦେଶରେ ନିକାହ ବା ବିବାହ ସମୟରେ ବିବାହ କରିବାକୁ ଯାଉଥିବା ଯୁବତୀ ବା ମହିଳାଙ୍କୁ ବିବାହ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ଫର୍ମ ପୂରଣ କରିବାକୁ ପଡେ । ଏହି ଫର୍ମରେ ବିବାହ କରିବାକୁ ଯାଉଥିବା ଯୁବତୀ ଓ ମହିଳାଙ୍କୁ ନିଜ ମେରିଟାଲ ଷ୍ଟାଟସ ସମ୍ପର୍କରେ ସୂଚନା ଦେବାକୁ ହୁଏ । ଏ ସମ୍ପର୍କିତ ସୂଚନା ପାଇଁ ଫର୍ମରେ ଥିବା ସ୍ଥାନରେ ପୂର୍ବରୁ ୩ଟି ବିକଳ୍ପ ରହୁଥିଲା ।ତିନୋଟି ବିକଳ୍ପ ମଧ୍ୟରୁ ଗୋଟିକୁ ଟିକ୍‌ କରିବାକୁ ପଡୁଥିଲା । ଏହି ତିନୋଟି ବିକଳ୍ପ ହେଲା ସେ- ଭର୍ଜିନ ବା କୁମାରୀ, ସେ ସ୍ବାମୀ ପରିତ୍ୟକ୍ତା ବା ତଲାକସୁଦା ଏବଂ ବିଧବା ।

ତେବେ ବିବାହ କରିବାକୁ ଯାଉଥିବା ପୁରୁଷଙ୍କ ପାଇଁ ଏଭଳି କୌଣସି ସୂଚନା ଦେବାର ଆବଶ୍ୟକତା ନଥାଏ । ସମଗ୍ର ଦକ୍ଷିଣ ଏସିଆରେ ଥିବା ମୁସଲିମ ରାଷ୍ଟ୍ରରେ ଏହି ନିୟମ ଆଜି ଯାଏଁ ଚଳି ଆସୁଥିଲା । ତେବେ ୨୦୧୪ ମସିହାରେ ବାଂଲାଦେଶରେ ମହିଳାଙ୍କ ଅଧିକାର ପାଇଁ କାମ କରୁଥିବା ମହିଳା ପରିଷଦ ନାମକ ଏକ ସଂଗଠନ ଏହାର ବିରୋଧ କରିଥିଲା । ସଂଗଠନ ପକ୍ଷରୁ ୧୯୭୪ ମସିହାର ମୁସଲିମ ବିବାହ ଓ ଛାଡ ପତ୍ର ଆଇନରେ ପରିବର୍ତ୍ତନ ପାଇଁ ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଥିଲା ।

ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ଲାଗି ଏଭଳି ରାୟ ଓ ନିର୍ଦ୍ଦେଶ ଦେଇଥିବାବେଳେ ବିବାହ କାର୍ଯ୍ୟାଳୟରେ ପୁରୁଷଙ୍କ ଲାଗି ମଧ୍ୟ ମେରିଟାଲ ଷ୍ଟାଟସ ସମ୍ପର୍କିତ ସୂଚନା ଲାଗି ଫର୍ମରେ ବ୍ୟବସ୍ଥା ରହିବ ବୋଲି କୁହାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ବାଂଲାଦେଶ ମହିଳାଙ୍କ ବଡ ବିଜୟ ବୋଲି ବିବେଚନା କରାଯାଉଛି ।

ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବାପରେ ହେବା ପରେ ମୁସଲିମ୍‌ ମ୍ୟାରେଜ୍‌ ରେଜିଷ୍ଟ୍ରର ମହମ୍ମଦ ଅଲ୍ଲୀ ଅକବର ଖୁସୀ ପ୍ରକାଶ କରିଛନ୍ତି । ସେ  କହିଛନ୍ତି ଯେ, ଯେତେବେଳେ ସେ ଢାକାରେ ବିବାହ କରାଉଥିଲେ ସେତେବେଳେ ତାଙ୍କୁ ଅନେକ ଯୁବତୀ ପ୍ରଶ୍ନ କରୁଥିଲେ ଯେ, ବିବାହ ଫର୍ମରେ ଏହି ପ୍ରଶ୍ନ ପୁରୁଷମାନଙ୍କ ପାଇଁ କାହିଁକି ନଥାଏ। କେବଳ ନାରୀ ହିଁ ଏଭଳି ପ୍ରଶ୍ନର ସାମ୍ନା କଣ ପାଇଁ କରେ। ସବୁବେଳେ ତାଙ୍କ ଉତ୍ତର ରହୁଥିଲା ଯେ, ତାଙ୍କ ପାଖରେ ଏଭଳି ପ୍ରଶ୍ନର ଉତ୍ତର ନାହିଁ କି ତାଙ୍କ ହାତରେ ସମାଧାନ ନାହିଁ। ହେଲେ ଏବେ ସେ ଏମିତି ପ୍ରଶ୍ନର ସାମ୍ନା କରିବେ ନାହିଁ ବୋଲି ଆଶା କରୁଛନ୍ତି।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.