ବଦଳିବ ୩୫୦ବର୍ଷର ଚିତ୍ର: ବର୍ଷକ ଭିତରେ ନୂଆ ରୂପ ପାଇବ ଏକାମ୍ର କ୍ଷେତ୍ର

Published By : Prameya-News7 Bureau | August 17, 2020 IST

ଭୁବନେଶ୍ବର୧୭/୮:  ୩୫୦ବର୍ଷ ପରେ ନୂଆ ରୂପ ନେବାକୁ ଯାଉଛି ମହାପ୍ରଭୁ ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ସମେତ ସାରା ଏକାମ୍ର କ୍ଷେତ୍ର । ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବର ଗାରିମାକୁ ବୃଦ୍ଧି କରିବା ସହ UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଏହାକୁ ସ୍ଥାନୀତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବଦଳିବ ୩୫୦ବର୍ଷର ଚିତ୍ର । ବର୍ଷକ ଭିତରେ ନୂଆ ରୂପ ପାଇବ ଏକାମ୍ର କ୍ଷେତ୍ର । UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ମନ୍ଦିର ମାଳିନୀ ଭୁବନେଶ୍ବର । ଏକ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ଅଂଚଳରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଆଗକୁ ଏକସଙ୍ଗେ ୨ ଲକ୍ଷ ଲୋକ ସମବେତ ହୋଇ ମହାଶିବରାତ୍ରିରେ ମହାଦୀପ ଦର୍ଶନ କରିପାରିବେ । ସେହିଭଳି ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗର ଚନ୍ଦନଯାତ୍ରା । ଆଗାମୀ ବର୍ଷକ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରାବଣ ମାସରେ ଲିଙ୍ଗରାଜ ମନ୍ଦିର ଆସୁଥିବା ଲକ୍ଷ ଲକ୍ଷ କାଉଡ଼ିଆ କିଭଳି ସୁବିଧାରେ ଆଉ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ପାଣିଲାଗି କରିପାରିବେ ସେଥିପାଇଁ ଏକାମ୍ର କ୍ଷେତ୍ର ଯୋଜନାରେ ଦୃଷ୍ଟି ଦିଆଯାଇଛି । ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, ଓରିଏଣ୍ଟେସନ୍‌ ସେଣ୍ଟର, ପାର୍କିଂ, ଫୁଡ୍‌ ପ୍ଲାଜା, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳ ନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ ଓ ବର୍ଯ୍ୟବସ୍ତୁ ନିଷ୍କାସନ ଭଳି ବିଭିନ୍ନ ବିଷୟ ଉପରେ ଏହି ଯୋଜନାରେ ଧ୍ୟାନ ଦିଆଯାଇଛି ।

ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗାରିମାକୁ ଆହୁରି ବୃଦ୍ଧି କରିବା ସହ UNESCO ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କ 5-T ପ୍ରୋଗ୍ରାମ ଅନ୍ତର୍ଗତ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ।

ତେବେ ଆଗାମୀ ବ​ର୍ଷେ ଭିତରେ ଏହି ପ୍ରକଳ୍ପ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସଂଯୋଜନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭି.କେ ପାଣ୍ଡିଆନ୍‌ ।  ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.