ଚନ୍ଦ୍ରଯାନ-୨ର ତାଜା ଅପଡେଟ୍‌ : ଏହି ସୂଚନା ଦେଲେ ଇସ୍ରୋ ମୁଖ୍ୟ ଶିବନ

Published By : Prameya-News7 Bureau | September 26, 2019 IST

ନୂଆଦିଲ୍ଲୀ - ଚନ୍ଦ୍ରଯାନ-୨ ନେଇ ଏକ ବଡ୍‌ ଅପଡେଟ୍‌ ଆସିଛି । ବିକ୍ରମ ଲ୍ୟାଣ୍ଡର ସହ ଯୋଗା ଯୋଗ ସ୍ଥାପନ ହୋଇ ପାରି ନଥିବା ବେଳେ ଅର୍ବିଟର ଭଲ ଭାବରେ କାମ କରୁଛି। କେବଳ ସେତିକି ନୁହେଁ ଚନ୍ଦ୍ର ଚାରିପଟେ ଚକ୍କର କାଟିବା ସହ ହାଇ ରେଜୁଲେସନ୍‌ର ଫଟୋ ପଠାଉଛି। ଏହାର ସମସ୍ତ ପେ ଲୋଡ ଠିକ୍‌ ଭାବରେ କାମ କରିବା ଆରମ୍ଭ କରିଦେଇଛି ବୋଲି ଇସ୍ରୋ ମୁଖ୍ୟ ଶିବନ ସୂଚନା ଦେଇଛନ୍ତି ।
ଏକ ଜାତୀୟସ୍ତରର କମିଟି ଲ୍ୟାଣ୍ଡର ସହ କ'ଣ ଅସୁବିଧା ହେଲା ତାହାର ବିଶ୍ଲେଷଣ କରୁଛି ବୋଲି ଇସ୍ରୋ ମୁଖ୍ୟ ଶିବନ ସୂଚନା ଦେଇଛନ୍ତି ।
ଏହି କମିଟି ନିଜର ରିପୋର୍ଟ ଦେବାପରେ ଭବିଷ୍ୟତ ଯୋଜନା ଉପରେ କାମ ଆରମ୍ଭ ହେବ । ଏଥିପାଇଁ ଅନୁମୋଦନ ଓ ଅନ୍ୟ ପ୍ରକ୍ରିୟାର ଆବଶ୍ୟକତା ରହିଛି ବୋଲି ଶିବନ ପ୍ରକାଶ କରିଛନ୍ତି । ଏହା ଉପରେ ଇସ୍ରୋ କାମ କରୁଛି ।

ଚନ୍ଦ୍ରଯାନ ମିଶନ ୯୮ ପ୍ରତିଶତ ଲକ୍ଷ୍ୟ ପୂରଣ କରିଥିବା କଥା ଇସ୍ରୋ ମୁଖ୍ୟ ଶିବନ ପ୍ରକାଶ କରିଥିଲେ । ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ବୈଜ୍ଞାନିକମାନେ ଏବେ ବି କଠିନ ପରିଶ୍ରମ କରୁଥିବା ଶିବନ ସୂଚନା ଦେଇଥିଲେ । ଅର୍ବିଟର ସମ୍ପୂର୍ଣ୍ଣ ଭାବରେ କାମ କରୁଥିବା ବେଳେ ବୈଜ୍ଞାନିକ ପ୍ରୟୋଗ ଠିକ୍‌ ଠାକ୍‌ ହେଉଥିବା ଶିବନ କହିଛନ୍ତି ।

୨୦୨୦ ବେଳକୁ ଚନ୍ଦ୍ର ପାଇଁ ଆଉଏକ ମିଶନ ଆରମ୍ଭ କରାଯିବ ବୋଲି ଶିବନ ସୂଚନା ଦେଇଛନ୍ତି । ଭବିଷ୍ୟତର ଯୋଜନା ପାଇଁ ଚର୍ଚ୍ଚା ଜାରି ରହିଛି। କୌଣସି ଯୋଜନାକୁ ଅନ୍ତିମ ରୂପ ରେଖ ଦିଆଯାଇ ନଥିବା ଶିବନ କହିଛନ୍ତି ।

ଅର୍ବିଟର ଏକ ବର୍ଷ ପାଇଁ କାମ କରିବ ବୋଲି ଯୋଜନା ଥିଲା । ମାତ୍ର ଏବେ ଏହା ସାଢେ ସାତ ବର୍ଷ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି । ଅର୍ବିଟର ସମ୍ପୂର୍ଣ୍ଣ ସଫଳତାର ସହ କାମ କରୁଛି ବୋଲି ଶିବନ କହିଛନ୍ତି ।
ଅର୍ବିଟରରେ ୮ଟି ଅତ୍ୟାଧୁନିକ ଯନ୍ତ୍ରାଶଂ ଲାଗିଛି ।ଏହା ଠିକ୍‌ ଭାବରେ କାମ କରୁଛି ବୋଲି ଶିବନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.