ଜୁଲାଇ ୨୨ରେ ମହାକାଶକୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୨

Published By : Prameya-News7 Bureau | July 18, 2019 IST

ନୂଆଦିଲ୍ଲୀ ୧୮|୭: ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ମହାକାଶକୁ ଯିବ । ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ଏହାର ଉତକ୍ଷେପଣ ହେବ । ଗତ ୧୫ତାରିଖ ଭୋର ୨ଟା ୫୨ମିନିଟରେ ଏହାର ଉତକ୍ଷେପଣ ହୋଇଥାନ୍ତା । ତେବେ GSLV-Mk III ରକେଟରେ କିଛି ତ୍ରୁଟି ଥିବା ଆଶଙ୍କା କରି ୫୬ମିନିଟ୍ ଆଗରୁ ଉତକ୍ଷେପଣ ସ୍ଥଗିତ କରାଯାଇଥିଲା ।

ରକେଟର କ୍ରାୟୋଜେନିକ ସେକ୍ସନରେ ତରଳ  ଇନ୍ଧନ ଲିକ୍ ଆଶଙ୍କା କରାଯାଇଥିଲା । ତ୍ରୁଟିକୁ ଅନୁଧ୍ୟାନ କରି ଏହାର ସମାଧାନ କରିବା ପରେ ଇସ୍ରୋ ଉତକ୍ଷେପଣର ନୂଆ ତାରିଖ ଘୋଷଣା କରିଛି । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ୬୪୦ଟନ୍ ଓଜନର  ବାହୁବଳୀ ରକେଟ୍ ରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ହେବ । ଜୁଲାଇ ୨୨ ଅପରାହ୍ନ ୨.୪୩ ମିନିଟରେ ଉତକ୍ଷେପଣ ହେବାର ୨୦ଘଣ୍ଟା ଆଗରୁ କାଉଣ୍ଟଡାଉନ ଆରମ୍ଭ ହେବ । ୫୨ଦିନର ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ । ଆଉ  ଏହା ସହ ନୂଆ ଇତିହାସ ରଚିବ ଭାରତ ।

ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ପାଲଟିଯିବ ଚତୁର୍ଥ ଦେଶ । ୨୦୦୮ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚନ୍ଦ୍ରଯାନ-୨ ମିଶନ ନେଇ ଘୋଷଣା କରିଥିଲେ । ୧୧ବର୍ଷ ପରେ ମିଶନ ସଫଳ ହେବାକୁ ଅପେକ୍ଷା । ଚନ୍ଦ୍ରଯାନ-୨ ମିଶନ ପାଇଁ ଖର୍ଚ୍ଚ ହୋଇଛି ୯୭୮କୋଟି ଟଙ୍କା । ସବୁଠୁ ବଡ କଥା ରକେଟ୍ ରୁ ଚନ୍ଦ୍ରଯାନ ପର୍ଯ୍ୟନ୍ତ ସବୁ କିଛି ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି । GSLV-Mk III ରକେଟ୍, ମହାକାଶକୁ ୩୮୭୭କିଲୋ ପେ ଲୋଡ୍ ନେଇ ଯାଉଛି । ଯାହା ଭିତରେ ରହିଛି ୨୩୭୯କିଲୋ ଅରବିଟର୍, ୧୪୭୧କିଲୋ ଲ୍ୟାଣ୍ଡର ଏବଂ ୨୭କିଲୋ ଓଜନର ରୋଭର । 

ଚନ୍ଦ୍ରଯାନ ଅରବିଚର୍ ଚନ୍ଦ୍ର ଚାରିପଟେ ଏକ ବର୍ଷ ଧରି ଘୁରି ନୀରିକ୍ଷଣ କରିବ । ସେହିପରି ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ ଓହ୍ଲାଇବ । ଏହା ୧୪ ପୃଥିବୀ ଦିବସ ଚନ୍ଦ୍ରପୃଷ୍ଠରେ ପରୀକ୍ଷା ନିରୀକ୍ଷା କରିବ । ଏବଂ ରୋଭର ପ୍ରଜ୍ଞା ଚନ୍ଦ୍ର ପୃଷ୍ଠରେ ୫ଶହ ମିଟର ଗଡି ଗଡି ବିଭିନ୍ନ ପରୀକ୍ଷା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.