ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା 'ଚନ୍ଦ୍ରଯାନ-୨'

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ ୨୦|୮: ଚନ୍ଦ୍ରର କକ୍ଷପଥରେ ଅବସ୍ଥାପନ କଲା ଚନ୍ଦ୍ରଯାନ-୨ । ଜୁଲାଇ ୨୨ତାରିଖରୁ ପୃଥିବୀରୁ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ । ପ୍ରାୟ ୩୦ଦିନ ଧରି ପୃଥିବୀ ଚାରିପଟେ ଚକ୍କର କାଟିବା ସହ ମହାକାଶରେ ଯାତ୍ରା କରି ଚନ୍ଦ୍ର କକ୍ଷପଥରେ ଅବସ୍ଥାପନ କରିଛି । ଏହାକୁ ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ କରିବା ଏକ ଜଟିଳ ପ୍ରକ୍ରିୟା । କାରଣ ଚନ୍ଦ୍ର କକ୍ଷପଥରେ ପ୍ରବେଶ ସମୟରେ ଯଦି ଚନ୍ଦ୍ରଯାନ-୨ର ବେଗ ଆବଶ୍ୟକତାଠାରୁ ଅଧିକ ରହେ ତେବେ ତାହା ମହାକାଶରେ ହଜିଯିବାର ଆଶଙ୍କା ରହିଥିଲା । ପୁଣି ଯଦି ଆବଶ୍ୟକତାଠାରୁ ବେଶ କମ୍ ବେଗରେ ଯଦି ଏହା ଚନ୍ଦ୍ର କକ୍ଷପଥ ପାଖରେ ପହଞ୍ଚେ ତେବେ, ତାହା ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିରେ ଟାଣି ହୋଇ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇବାର ଆଶଙ୍କା ମଧ୍ୟ ରହିଥିଲା । ତେବେ ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ରକକ୍ଷପଥରେ ପ୍ରବେଶ କରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ଥରେ ଏହା ଚନ୍ଦ୍ର କକ୍ଷପଥରେ ପଶିବା ପରେ ଚନ୍ଦ୍ର ଚାରିପଟେ ଘୁରିବ । ଏହାପରେ ଅଗଷ୍ଟ ୨୧, ୨୮, ୩୦ ଏବଂ ସେପ୍ଟେମ୍ବର ୧ତାରିଖରେ ଚନ୍ଦ୍ରଯାନ-୨ର କକ୍ଷପଥ ବଦଳାଯିବ । ଏହାପରେ ଚନ୍ଦ୍ର ନିକଟରେ ପହଞ୍ଚିଯିବ ଚନ୍ଦ୍ରଯାନ-୨ । ସେପ୍ଟେମ୍ବର ୨ତାରିଖରେ ଅରବିଟର ଠାରୁ ବିଚ୍ଛିନ୍ନ ହୋଇଯିବ ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରଠାରୁ ଶହେ କିଲୋମିଟର ଉଚ୍ଚତାରେ ଅରବିଟର ଘୁରିବ । ଆଉ ସେପଟେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ ହେବ ।

ଏହାପରେ ସେପ୍ଟେମ୍ବର ୭ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଅବତରଣ କରିବା ଅତ୍ୟନ୍ତ ଜଟିଳ ପ୍ରକ୍ରିୟା । କାରଣ ଇସ୍ରୋର ବୈଜ୍ଞାନିକମାନେ ପ୍ରଥମଥର ପାଇଁ ଏପ୍ରକାର ପରୀକ୍ଷା କରିବେ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ପୃଥିବୀକୁ ପଠାଇବ ପ୍ରଥମ ଫଟୋ, ଯାହାକୁ ଅପେକ୍ଷା କରିଛି ଇସ୍ରୋ । ଏବେଯାଏଁ ଚନ୍ଦ୍ରଯାନ-୨ ଆଶାନୁରୂପକ ଭାବରେ କାମ କରଥିବା ଇସ୍ରୋ ନିର୍ଦ୍ଦେଶକ କେ. ଶିବନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.