ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨କୁ ବଡ଼ ଝଟକା : ଲଞ୍ଚ ଭେଇକିଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଟକିଲା ଉତକ୍ଷେପଣ
15/07/2019 at 8:32 AM

ନୂଆଦିଲ୍ଲୀ ୧୫/୭: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରଓର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’କୁ ଝଟକା ଲାଗିଛି । ଆଜି ଭୋର୍ ୨ଟା ୫୧ ମିନିଟ୍ ସମୟରେ ଏହାର ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ଆଗାମୀ କିଛିଦିନ ମଧ୍ୟରେ ଉତ୍କ୍ଷେପଣର ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଲଞ୍ଚ ଭେଇକିଲରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ପୂର୍ବରୁ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍ଭି ଏମ୍କେ-୩କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବାର କାର୍ଯ୍ୟକ୍ରମ ରହିଥିଲା । ଇସ୍ରୋର ସର୍ବାଧିକ ମହାତ୍ବାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ସମସ୍ତଙ୍କୁ ନିରାଶ କରିଛି ।

ଉତ୍କ୍ଷେପଣର ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଆଜି ନିର୍ଦ୍ଧାରିତ ସମୟରେ ସଫଳ ଉତ୍କ୍ଷେପଣ ହୋଇଥିଲେ ୬ କିମ୍ବା ୭ ସେପ୍ଟେମ୍ବରରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା । ତେବେ ଜିଏସ୍ଏଲ୍ଭି ଏମ୍କେ ୩ ରକେଟ ୪୪ ମିଟର ଲମ୍ବ ଏବଂ ୬୪୦ ଟନ୍ ଓଜନର ଉପଗ୍ରହକୁ ନେଇ ଯିବା ପୂର୍ବରୁ ହିଁ ସବୁ କିଛି ଓଲଟପାଲଟ ହୋଇ ଯାଇଥିଲା । ଉତକ୍ଷେପଣକୁ ୫୬ ମିନିଟ୍ ୨୪ ସେକେଣ୍ଡ ଆଗରୁ ହିଁ ରୋକା ଯାଇଥିଲା ।
