ଗୋଲ୍ଡେନ ବାବାକୁ ଦୁଇଦିନ ରିମାଣ୍ଡରେ ଆଣି କଣ ତଥ୍ୟ ବାହାରକଲା ଚନ୍ଦ୍ରଶେଖରପୁର ପୋଲିସ କାହାକୁ କହିଲାନି, ଏବେ କ୍ରାଇମ ବ୍ରାଞ୍ଚ ନେବ ୫ଦିନିଆ ରିମାଣ୍ଡରେ
9/01/2019 at 6:45 PM

ଭୁବନେଶ୍ବର୯|୧: ବହୁ ଚର୍ଚ୍ଚିତ ଗୋଲଡେନ ବାବାକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ରିମାଣ୍ଡ ସମୟରେ ଗୋଲଡେନ ବାବା ଠକେଇ କରିଥିବା ଦୁଇଟି କମ୍ପାନୀର ୧୭ କୋଟି ଟଙ୍କାକୁ କଲା କଣ ତାହା ଉପରେ କରିବ ଖୋଳତାଡ । ଆଉ ଦୁଇଦିନ ରିମାଣ୍ଡରେ ଆଣି ଅନେକ ତଥ୍ୟ ପାଇଥିବା ଚନ୍ଦ୍ରଶେଖରପୁର ପୋଲିସ କାହିଁକି ନିରବ ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବହୁ ଚର୍ଚ୍ଚିତ ଗୋଲଡେନ ବାବାକୁ ପାଞ୍ଚଦିନ ପାଇଁ ରିମାଣ୍ଡରେ ଆଣିବ କ୍ରାଇମ ବ୍ରାଞ୍ଚ । ଏହି ରିମାଣ୍ଡ ସମୟରେ ଲକ୍ଷ୍ମୀଶାସାର ଥାନା ଓ ଚନ୍ଦ୍ରଶେଖରପୁର ଥାନା ରେ ହୋଇଥିବା ଦୁଇଟ ମାମଲାର ଛାନଭିନ କରିବ । ଚନ୍ଦ୍ରଶେଖରପୁର ଥାନାରେ ଗୋଲଡେନବାବା ବିରୁଦ୍ଧରେ ୧୨କୋଟି ୬୦ଲକ୍ଷଟଙ୍କା ଓ ଲକ୍ଷ୍ମୀସାଗର ଥାନାରେ ୪ କୋଟି ୫୦ ଲକ୍ଷଟଙ୍କା ଠକେଇ କରିବା ପରେ ଏହି ଅର୍ଥକୁ ସେ କେଉଁ କେଉଁଠାରେ ବିନିଯୋଗ କରିଛି । ଏହା ସହିତ କେଉଁ କେଉଁ ନେତା ମାନଙ୍କୁ ଏହି ଅର୍ଥରୁ ଚେକ ହିସାବରେ ବା କ୍ୟାସ ଆକାରରେ ଦେଇଛି ତାହାର ପ୍ରମାଣ ଯୋଗାଡ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ କ୍ରାଇମବ୍ରାଞ୍ଚର ଜଣେ ଡିଏସପିଙ୍କ ନେତ଼ତ୍ବରେ ଦୁଇଜଣିଆ ଟିମ ଗଠନ କରାଯାଇଥିଲା କହିଛନ୍ତି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ।
ସେପଟେ ଗୋଲଡେନ ବାବାକୁ ୨ଦିନ ରିମାଣ୍ଡରେ ଆଣିଥିବା ଚନ୍ଦ୍ରଶେଖରପୁର ପୋଲିସ ବହୁ ଅପରାଧିକ ସୁଚନା ପାଇଥିଲେ ମଧ୍ୟ କାହା ଚାପରେ କିମ୍ବା କାହା ସ୍ବାର୍ଥରେ ମାମଲାକୁ ଚାପି ବସିଯାଇଥିଲା ତାକୁ ନେଇ ସାଧାରଣରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଗୋଲଡେନ ବାବା ପିନ୍ଧୁଥିବା କିଛି ସୁନା ଅଳଙ୍କାର ଜବତ କରାଯାଇଥିବା ବେଳେ ସେ ବ୍ୟବହାର କରୁଥିବା ଦାମି ଦାମି ଗାଡି ଗୁଡିକ ଏବେ କାହା ପାଖରେ । କାହିଁକି ଗୋଲଡେନ ବାବାକୁ ଗିରଫ କରିବା ସମୟରେ ଚନ୍ଦ୍ରଶେଖରପୁର ପୋଲିସ ଏହି ଗାଡି ଓ ଗୋଲଡେନ ବାବାର ଆକାଉଁଣ୍ଟକୁ ଜବତ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ଯାହାକୁ ନେଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ନାଁରେ ଅନେକ କଥା ଶୁଣିବାକୁ ମିଳୁଛି । ତେବେ କ୍ରାଇମବ୍ରାଞ୍ଚ ଏହା ଭିତରେ ଗୋଲଡେନ ବାବାର ଆକାଉଣ୍ଟକୁ ଛାନଭିନ କରିବା ଆରମ୍ଭ କରିଦେଇଥିବା ସୁଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ।