ଜୋର ଧରିଲା ବିରୋଧୀଙ୍କ ମହାମେଣ୍ଟ ଅଭିଯାନ : ଆଜି ରାହୁଲ - ଚନ୍ଦ୍ରବାବୁ ଭେଟ

Published By : Prameya-News7 Bureau | November 01, 2018 IST

ଦିଲ୍ଲୀ ୧/୧୧ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ଜୋରସୋରରେ ଚାଲିଛି ସବୁ ଦଳର ପ୍ରସ୍ତୁତି | କିଏ କେଉଁଠି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ତ ଆଉ କିଏ ମହାମେଣ୍ଟ ପାଇଁ ଚାଲିଛି ପ୍ରସ୍ତୁତି ଓ ରଣନୀତି | ୨୦୧୯ ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ମହାମେଣ୍ଟ ପାଇଁ ସବୁ ବିରୋଧୀଦଳଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି | ଏଥିପାଇଁ ସେ ଆଜି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଖା କରି ଆଲୋଚନା କରୁଛନ୍ତି | ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ସହିତ ନିଜର ଶତ୍ରୁତା ଭୁଲି କଂଗ୍ରେସ ସହିତ ହାତ ମିଳାଇଛନ୍ତି | ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଚନ୍ଦ୍ର ଶେଖର ରାଓଙ୍କୁ ହରାଇବା ପାଇଁ ଦୁଇ ଦଳ ହାତ ମିଳାଇଛନ୍ତି | ବିଜେପି ନେତୃତ୍ୱାଧୀନ ଏନଡିଏରୁ ସମ୍ପର୍କ ଛିନ୍ନ କରିବାପରେ ନାଇଡୁ ବିପକ୍ଷ ଦଳ ସହିତ ସମ୍ପର୍କ ବଢାଇବାରେ ହୋଇଯାଇଛନ୍ତି | ସମାନ ବିଚାରଧାରା ଦଳଗୁଡିକୁ ଗୋଟିଏ ମଂଚରେ ଏକତ୍ରିତ କରିବା ପାଇଁ ବିପକ୍ଷ ଦଳ ନେତାମାନଙ୍କ ସହ ନାଇଡୁ ଲଗାତାର ସାକ୍ଷାତ କରୁଛନ୍ତି | ସୂଚନାଯୋଗ୍ୟ ଯେ, ଗତ ସପ୍ତାହକ ମଧ୍ୟରେ ନାଇଡୁ ଦୁଇଥର ଦିଲ୍ଲୀ ଗସ୍ତ କଲେଣି | ଏହା ପୂର୍ବରୁ ଗତ ଶନିବାର ନାଇଡୁ ଦିଲ୍ଲୀରେ ମାୟାବତୀ, ଶରଦ ଯାଦବ, ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ନେତାଙ୍କ ସହ ସାକ୍ଷାତ କରିଛନ୍ତି | ଆଜି ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ କରିବା ସହ ଅନ୍ୟ ବିପକ୍ଷ ଦଳ ନେତାଙ୍କୁ ମଧ୍ୟ ଭେଟିବାର ସମ୍ଭାବନ ରହିଛି | ନାଇଡୁ ଆଜି ଏନସିପି ଅଧ୍ୟକ୍ଷ ଶରଦ ପୱାରଙ୍କ ସହିତ ମଧ୍ୟାହ୍ନ ଭୋଜନରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି | ଏହାଛଡା ରାଷ୍ଟ୍ରୀୟ କନଫେନ୍ସ ନେତା ଫାରୁଖ ଅବଦୁଲ୍ଲା ଏବଂ ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ଏବଂ ବିଜେପିର ବିଦ୍ରୋହୀ ନେତା ଯଶବନ୍ତ ସିହ୍ନାଙ୍କୁ ମଧ୍ୟ ଦେଖା କରିପାରନ୍ତି ବୋଲି ଆଶା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.