ସିବିଆଇକୁ ଆନ୍ଧ୍ରପ୍ରଦେଶ ମନା ; ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟ ଭିତରେ ପ୍ରବେଶକୁ ବାରଣ

Published By : Prameya-News7 Bureau | November 16, 2018 IST

ନୂଆଦିଲ୍ଲୀ ୧୬|୧୧: ଆନ୍ଧ୍ରପ୍ରଦେଶରେ ସିବିଆଇ ପଶି ପାରିବନାହିଁ ବୋଲି ଆନ୍ଧ୍ରପ୍ରଦେଶ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପ୍ରବେଶ କରିବାକୁ ସିବିଆଇକୁ ବାରଣ କରିଛନ୍ତି । କେନ୍ଦ୍ର ବିଜେପି ବିରୋଧୀ ରାଜନୈତିକ ଦଳ ଶାସନରେ ଥିବା ରାଜ୍ୟ ସରକାରଙ୍କୁ ହଇରାଣ କରିବା ଲାଗି ସିବିଆଇକୁ ପ୍ରୟୋଗ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଏମିତି ଘୋଷଣା କରିଛନ୍ତି। ଆନ୍ଧ୍ରର ଘୋଷଣା ପରେ ଓଡ଼ିଶାରେ ବି ରାଜନୈତିକ ବୟାନବାଜି ଦେଖାଦେଇଛି। ଆନ୍ଧ୍ରରେ  ସିବିଆଇ କୌଣସି ତଦନ୍ତ କରିବାକୁ ହେଲେ ନେବାକୁ ପଡ଼ିବ ରାଜ୍ୟ ସରକାରଙ୍କ ଅନୁମତି।  ରାଜ୍ୟ ଭିତରେ ସିବିଆଇ ସ୍ବାଧୀନ ଭାବେ ତଦନ୍ତ କରିବା ଲାଗି କେନ୍ଦ୍ରକୁ ଏକ ସହମତ ପତ୍ର ରାଜ୍ୟ ସରକାର ଦେଇଥାନ୍ତି। ତେବେ ଏହି ସହମତ ପତ୍ରକୁ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଦିଲ୍ଲୀ ସ୍ପେସାଲ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟକୁ ଆଧାର କରି ଆନ୍ଧ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଚିଠିରେ ଦର୍ଶାଇଛନ୍ତି ଯେ ସିବିଆଇରେ ବର୍ତ୍ତମାନ ଚାଲିଥିବା  ଗଣ୍ଡଗୋଳ ଏହାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଲଗାଇଛି।  ସିବିଆଇକୁ ଲଗେଇ ବିଜେପି ଆନ୍ଧ୍ରରେ ରାଜନୈତିକ ଗେମ୍‌ ଖେଳୁଥିବାରୁ ଏମିତି କିଛି ପଦକ୍ଷେପ ନେଇଛନ୍ତି ତାଙ୍କ ସରକାର। ଏବେ ମୋଦି ବିରୋଧୀ ମେଣ୍ଟର ନେତୃତ୍ବ ନେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏମିତି ଏକ ଚିଠି ବଳରେ ବିଜେପିର ପ୍ରଭାବ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି ବାବୁ। ଚନ୍ଦ୍ରବାବୁଙ୍କ ଏ ନିଷ୍ପତ୍ତିକୁ ନେଇ ଓଡ଼ିଶାରେ ବି ସୃଷ୍ଟି ହୋଇଛି ରିଆକ୍ସନ। ଚିଟ୍‌ଫଣ୍ଡ ଠାରୁ ଆରମ୍ଭ କରି ଖଣି ଦୁର୍ନୀତି, ଏମିତି ଏକାଧିକ ମାମଲା ଅଛି ଯେଉଁଥିରେ ରାଜ୍ୟରେ ସିବିଆଇ ଘଣ୍ଟାଚକଟା  କରିଛି।  ଏପରିକି ଅନେକ ଥର ରାଜ୍ୟ ସରକାରଙ୍କ ଆଡ଼କୁ ବି ମାଡି଼ଆସିଛି। କେନ୍ଦ୍ରର ବିଜେପି ସରକାର ରାଜ୍ୟ ସରକାରଙ୍କ ବିରୋଧରେ ସିବିଆଇକୁ ପେଶୁଛନ୍ତି ବୋଲି ବାରମ୍ବାର କହିଆସିଛି ବିଜେଡି। ଏତିକିବେଳେ ଆନ୍ଧ୍ର ସରକାର ସିବିଆଇକୁ କବାଟ କିଳିଛନ୍ତି । ତେଣୁ ଓଡ଼ିଶା ସରକାର କଣ କରିବେ। ବିଜେଡି କହିଛି ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନେବେନି । କିନ୍ତୁ ସିବିଆଇ ଯେ ବିଶ୍ବସନୀୟତା ହରାଇଛି ଏହାକୁ ଜୋରଦେଇ ବିଜେଡି କହିଛି। କଂଗ୍ରେସ ଓ ବିଜେପି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.