ଆଇଏଏସଙ୍କ ଅଜବ ପ୍ରସ୍ତାବ: ୨ ଘଣ୍ଟା ପାଇଁ ଖୋଲା ଯାଉ ମଦ ଦୋକାନ, ନଚେତ୍ ଲୋକେ ଡ୍ରଗ୍ସ ନେବା ଆରମ୍ଭ କରି ଦେବେ
7/04/2020 at 8:14 PM

ଚଣ୍ଡିଗଡ ୦୭।୦୪: କରୋନା ଭାଇରସ କାରଣରୁ ଦେଶରେ ଲକ୍ଡାଉନ୍ ଲାଗୁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଔଷଧ, ରାସନ, ପନିପରିବା, କ୍ଷୀର ପରି ଦୋକାନକୁ ଛାଡି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏହା ମଧ୍ୟରେ ଜଣେ ଆଇଏଏସ ଅଜବ ପ୍ରକାରର ପ୍ରସ୍ତାବ ଦେଇଛନ୍ତି। ଆଇଏଏସ ମନୋଜ ପରିଡା କହିଛନ୍ତି ଯେ, ତାଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, ଦୈନିକ ୨ ଘଣ୍ଟା ପାଇଁ ମଦ ଦୋକାନ ଖୋଲା ଯାଉ। କାରଣ ଏମିତି ନହେଉ ନିୟମିତ ମଦ ପିଉଥିବା ବ୍ୟକ୍ତି ଡ୍ରଗ୍ସ ନେବା ଆରମ୍ଭ କରି ଦେବ।
ଆଇଏଏସ ମନୋଜ ପରିଡା ଚଣ୍ଡିଗଡରେ ବଡ ପ୍ରଶାସନିକ ଦାୟିତ୍ଵରେ ଅଛନ୍ତି। ଟୁଇଟ୍ରେ ସେ ସାଧାରଣ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଜଣେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଏମିତି ନହେଉ ନିଶାଖୋର ବ୍ୟକ୍ତି ମଦ ଅଭାବରୁ ଡ୍ରଗ୍ସ ନେବା ଆରମ୍ଭ ନକରୁ କିମ୍ବା ଡିପ୍ରେସନକୁ ଚାଲି ନଯାଆନ୍ତୁ। ତେଣୁ ଏମିତି ଲୋକଙ୍କ ପାଇଁ ୨ ଘଣ୍ଟା ପାଇଁ ମଦ ଦୋକାନ ଖୋଲା ରଖାଯିବା ଉଚିତ୍ ନା ନାହିଁ ? ଦୟା କରି ଆପଣ ନିଜର ବିଚାର ରଖିବେ।
ଉଲ୍ଲେଖଯୋଗ୍ୟ ମନସ୍ତତ୍ଵବିଦ୍ ଓ ଡାକ୍ତରଙ୍କ କହିବା କଥା ମଦ ନମିଳିବା କାରଣରୁ ଏଥିରେ ଅଭ୍ୟସ୍ତ ଲୋକଙ୍କ ମାନସିକ ସମସ୍ୟା ସୃଷ୍ଟି ହୋଇପାରେ। ଦିଲ୍ଲୀର ଡାକ୍ତର ଭେଙ୍କଟ କୃଷ୍ଣନ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ନିୟମିତ ମଦ ପିଅନ୍ତି ସେମାନଙ୍କ ସମସ୍ୟା ହୋଇପାରେ। ଯେବେ ସେମାନଙ୍କୁ ମଦ ନମିଳେ ତେବେ ଅନେକ ପ୍ରକାରର ସମସ୍ୟା ଉତ୍ପନ ହୋଇଥାଏ।
ଉଲ୍ଲେଖଯୋଗ୍ୟ, ଲକ୍ଡାଉନ୍ ମଧ୍ୟରେ ଦିଲ୍ଲୀରେ ମଧ୍ୟ ମଦର ଚୋରାଚାଲାଣ ଖବର ଆସିଛି। ସୋମବାର ଦିଲ୍ଲୀର ଭିଆଇପି ଇଲାକାରେ ରାଷ୍ଟ୍ରପତି ଭବନ ନିକଟରେ କ୍ଷୀର ନେବା ପାଇଁ ବ୍ୟବହାର ହେଉଥିବା କେନରେ ମଦର ତସ୍କରି ଖବର ସାମ୍ନାକୁ ଆସିଥିଲା। ପୋଲିସ୍ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଏବଂ ମଦ ବୋତଲ ମଧ୍ୟ ଜବତ କରିଥିଲା।