ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ : ମନ୍ଦିର ଭିତରେ ହେବ ୨୧ ଦିନର ନୀତି, ଆଜି ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ

Published By : Prameya-News7 Bureau | April 26, 2020 IST

ପୁରୀ ୨୬।୦୪: ଶ୍ରୀ ମନ୍ଦିର ବେଢା ମଧ୍ୟରେ ଚାପ ଖେଳିବେ ମହାପ୍ରଭୁ । ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀମନ୍ଦିର ବେଢା ମଧ୍ୟରେ ଚାପ ଖେଳିବେ ମହାପ୍ରଭୁ । ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ନୌକାବିହାର ପାଇଁ  ମୁକ୍ତି ମଣ୍ଡପ ନିକଟରେ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ ସେଥିରେ ମହାପ୍ରଭୁଙ୍କ ଚାପ ଖେଳାଯିବ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ୨୧ ଦିନ ଧରି ଯାହା ନୀତିକାନ୍ତି ହେବା କଥା ସେ ସମସ୍ତ ନୀତିକାନ୍ତି କରାଯିବ ।

ସେହିଭଳି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ଅକ୍ଷୟ ତୃତୀୟା ନୀତି । ଚାହାଣୀ ମଣ୍ଡପ ନିକଟରେ ୯ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ଅନୁକୁଳ ପାଇଁ ହୋମ କରିବା ନିମନ୍ତେ ଅସ୍ଥାୟୀ ଚାଳିଆ ନିର୍ମାଣ କରାଯାଇଛି। ସେଠାରେ ହିଁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ପ୍ରଦାନ କରିବେ। ଏଥି ସହ ରଥନିର୍ମାଣ ଅନୁକୁଳ ହେବ । ଏ ନେଇ ଚାଲିଥିବା ବୈଠକରେ ନିଷ୍ପତି ନିଆଯାଇଥିବା ନେଇ ସ୍ପଷ୍ଟ କରାଯାଇଛି ।

ଆଜି ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ନୀତି ହେବାକୁ ଥିବାବେଳେ ଓ ଚନ୍ଦନ ଯାତ୍ରାର ବିଧି ମଧ୍ୟ ଶ୍ରୀ ମନ୍ଦିର ମଧ୍ୟରେ ହେବ । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଥିଲେ । ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.