ସବୁଠି ଚକଡା ପୋକ, ସବୁଠି ଚାଷୀ ଜାଳୁଛି ସୁନାର ଫସଲ, ପୁଣି ଚାଷୀ ଆତ୍ମହତ୍ୟା ଆଶଂକା…ସରକାର ବେଧଡକ

Published By : Prameya-News7 Bureau | November 04, 2018 IST

ଭୁବନେଶ୍ବର ୪|୧୧: ଚାଷୀଙ୍କୁ ଚକଡା ଚିନ୍ତା ଧାନ ଜମିରେ ଚକଡା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ଫଳରେ ଅନ୍ୟ ଉପାୟ ନପାଇ ଚାଷୀ ସୁନାର ଫସଲରେ ନିଆଁ ଲଗାଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା , କଳାହାଣ୍ଡି ଜିଲ୍ଲାର କୋକସରା, ଟିଟିଲାଗଡର ଉଦେପରୁ , ମୟୁରଭଞ୍ଜ ଜିଲ୍ଲାର ଉଦଳା ଆଦି ସ୍ଥାନରେ ଏଭଳି କରିବାକୁ ବାଧ୍ୟ ହୋଇଛନ୍ତି ଚାଷୀ …. ଜଳୁଛି ଚାଷ ଜମି। ଏକର ଏକର  ଧାନ ଫସଲରେ ନିଆଁ ଲାଗିଛି । ଯେଉଁ ହାତରେ ସୁନାର ଫସଲ କରିଥିଲା ଚାଷୀ ସେହି ହାତରେ ଧାନ ଜମିରେ ନିଆଁ ଲଗାଇ ଦେଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ପୁରୁଣା କଟକ ଅଞ୍ଚଳର  ଶହ ଶହ ହେକ୍ଟର ଧାନ ବିଲରେ ମାଡିଗଲା ଚକାଡ ପୋକ । କୀଟନାଶକ କାମ କଲାନାହିଁ । ପ୍ରତିକାର ପାଇଁ ଚାଷୀ କୃଷି ଅଧିକାରୀଙ୍କୁ ଜଣାଇଲେ । ହେଲେ କେହି ଶୁଣିଲେନି । ଶେଷରେ ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ । ଗତ ବର୍ଷ ମଧ୍ୟ ଏଭଳି ଅବସ୍ଥା ଉପୁଜିବାରୁ ବ୍ୟାପକ ଫସଲ ହାନୀ ହୋଇଥିଲା । ଚାଷ ଜମିଗୁଡିକରେ ନିଆଁ ଲଗାଇଦେଇଥିଲେ ଚାଷୀ । ହେଲେ ଏଯାଏଁ ଚାଷୀ ଗତବର୍ଷର କ୍ଷତିପୂରଣ ପାଇନାହାନ୍ତି । ଆଉ ଚଳିତ ବର୍ଷ ମଧ୍ୟ ଚାଷୀଙ୍କ ସେହି ସମାନ ଅବସ୍ଥା । ସରକାର ଯଦି ଏନେଇ କୌଣସି ପଦକ୍ଷେପ ନନିଅନ୍ତି ଶେଷରେ ଆତ୍ମହତ୍ୟା କରିବାକୁ ଚାଷୀ ବାଧ୍ୟ ହେବେ ବୋଲି ଧମକ ଦେଇଛନ୍ତି । ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି ଟିଟିଲାଗଡ ବ୍ଲକ  ଉଦେପୁର ଗାଁରେ । ଏଠାରେ ମଧ୍ୟ ଚକଡା ପୋକ ଯୋଗୁଁ ଚାଷୀ ଧାନ ବିଲରେ ନିଆଁ ଲଗାଇ ଦେଇଛି । କେବଳ ଟିଟିଲାଗଡ ନୁହେଁ ମୟୁରଭଞ୍ଜ ଗୋପବନ୍ଧୁନଗର ଆରପଟା ପଞ୍ଚାୟତ, କଳାହାଣ୍ଡି କୋକସରା ଚାରବାହାଲ ଗାଁରେ ଚାଷୀ ଧାନ ବିଲରେ ନିଆଁ ଲଗାଇ ପୋଡି ଦେଇଛି । ଚାରବାହାଲ ଗାଁରେ ପ୍ରାୟ ଶହେରୁ ଅଧିକ ଏକର ଜମିରେ ଚକଡା ପୋକ ପାଇଁ ଫସଲ ନଷ୍ଟ ହୋଇଛି ।  ହେଲେ କୃଷି ବିଭାଗ ପକ୍ଷରୁ ସର୍ଭେ କରାଯାଇ ନାହିଁ । ଚାଷୀଙ୍କର ଏଭଲି ଦୁର୍ଦ୍ଦଶା ଦେଖି ଭାରତୀୟ କିଷାନ ସଂଘ ଆଗକୁ ଆସିଲାଣି । କ୍ଷତିପୂରଣ ଦିଆନଗଲେ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି । ସେପଟେ କୃଷି ବିଭାଗ କହୁଛି ରେଭେନ୍ୟୁ, ଷ୍ଟାଟିଷ୍ଟିକ୍ସ ବିଭାଗର ମିଳିତ ସର୍ଭେ ପରେ ସରକାରଙ୍କ ରିପୋର୍ଟ ଦିଆଯିବ । ତା ପରେ ଯାଇ କ୍ଷତିପୂରଣ ବ୍ୟବସ୍ଥା ହେବ । ଚାଷୀମାନଙ୍କ  ପାଇଁ  ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ସବୁ ଯୋଜନା ଯେଭଳି କାଗଜ କଲମରେ ସୀମିତ ରହିଯାଇଛି । ଚକଡା ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ଆବଶ୍ୟକ କୀଟ ନାଶକ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.