କେବେ ଆରମ୍ଭ ହେବ ଚୈତ୍ର ନବରାତ୍ରି ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ, ବ୍ରତ ପାଳନର ମହତ୍ତ୍ୱ ଓ ନିୟମ

Published By : Prameya-News7 Bureau | April 09, 2021 IST

ଭୁବନେଶ୍ୱର ୦୯/୦୪ : ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସ ପ୍ରଥମ ଦିନ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନ ଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହୋଇଥାଏ। ଏହି ଦିନକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପର୍ବ ଭାବେ ପାଳନ କରାଯାଏ। ମହାରାଷ୍ଟ୍ରରେ ଗୁଡ଼ି ପାଡୱା, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଉଗାଡି ଭାବେ ପାଳନ କରାଯାଏ। ଏଥର ଚୈତ୍ର ନବରାତ୍ରି ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଛି। ନବରାତ୍ରି ୨୧ ତାରିଖରେ ସମାପନ ହେବ।

ନବରାତ୍ରିରେ ଘଟସ୍ଥାପନା ମହତ୍ତ୍ୱ -

ଚୈତ୍ର ନବରାତ୍ରି ପ୍ରଥମ ଦିନ ଏପ୍ରିଲ ୧୩ ତାରିଖରେ ପଡୁଛି। ଏହିଦିନ ଘଟସ୍ଥାପନା ବା କଳସ ସ୍ଥାପନ କରାଯିବ। ନବରାତ୍ରିରେ କଳସ ସ୍ଥାପନାର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ କଥା ଅନୁଯାୟୀ, ନବରାତ୍ରି ସମୟରେ କଳସ ସ୍ଥାପନା ଶୁଭ ଫଳଦାୟୀ ହୋଇଥାଏ।

ଘଟସ୍ଥାପନା ମୁହୂର୍ତ୍ତ -

ଏପ୍ରିଲ ୧୩ ତାରିଖ ମଙ୍ଗଳବାର ସକାଳ ୫ଟା ୨୮ ମିନିଟରୁ ସକାଳ ୧୦ଟା ୧୪ ମିନିଟ ଯାଏଁ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ ରହିଛି।

{"id":435853,"sizeSlug":"large","linkDestination":"none"}

ନବରାତ୍ରିର ମହତ୍ତ୍ୱ -

ଚୈତ୍ର ନବରାତ୍ରିରୁ ହିନ୍ଦୁ ବର୍ଷ ଆରମ୍ଭ ହୋଇଥାଏ। ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରିର ୯ଦିନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ଏହି ୯ଦିନ ଲୋକେ ଦେବୀଙ୍କ ୯ରୁପକୁ ପୂଜା କରିଥାନ୍ତି। ଏହି ୯ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ମା' ଦୁର୍ଗାଙ୍କ ପୂଜା କଲେ ଭକ୍ତଙ୍କ ସବୁ ଇଚ୍ଛା ପୁରା ହୋଇଥାଏ ବୋଲି ବିଶ୍ୱାସ ରହିଛି।

ନବରାତ୍ରି ସାରା ଦେଶରେ ପାଳନ କରାଯାଏ। ଉତ୍ତର ଭାରତରେ ୯ ଦିନ ଯାଏଁ ଦେବୀଙ୍କ ୯ ରୂପ ପୂଜା କରାଯାଇଥାଏ। ଭକ୍ତ ୯ ଦିନ ବ୍ରତ ପାଳନ କରନ୍ତି। ପ୍ରଥମ ଦିନରେ କଳସ ସ୍ଥାପନା ଓ ଅଖଣ୍ଡ ଦୀପ ଲଗାଯାଇଥାଏ। ଅଷ୍ଟମୀ କିମ୍ବା ନବମୀ ଦିନ କୁଆଁରୀ କନ୍ୟାଙ୍କୁ ଭୋଜନ କରାଯାଇଥାଏ। ନବରାତ୍ରିର ନବମ ଦିନ ରାମ ନବମୀ ପଡିଥାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ରାମ ନବମୀ ସହ ମା' ଦୁର୍ଗାଙ୍କ ନବରାତ୍ରି ସମାପନ ହୋଇଥାଏ। ରାମ ନବମୀ ଦିନ ମନ୍ଦିରମାନଙ୍କରେ ରାମାୟଣ ପାଠ କରାଯାଇଥାଏ।

{"id":435858,"sizeSlug":"large","linkDestination":"none"}

ନବରାତ୍ରି ବ୍ରତର ନିୟମ -

୧. ନବରାତ୍ରି ପ୍ରଥମ ଦିନ କଳସ ସ୍ଥାପନା କରି ୯ ଦିନ ବ୍ରତ ପାଳନ କରିବାକୁ ସଂକଳ୍ପ କରନ୍ତୁ

୨. ଶ୍ରଦ୍ଧା ଓ ଭକ୍ତିର ସହ ମା'ଙ୍କ ପୂଜା କରନ୍ତୁ

୩. ଅପରାହ୍ନ ସମୟରେ ଫଳ ଓ କ୍ଷୀର ଆହାର କରିପାରିବେ

୪. ସନ୍ଧ୍ୟା ସମୟରେ ମା'ଙ୍କ ଆଳତୀ କରିବେ

୫. ପ୍ରସାଦ ସମସ୍ତଙ୍କୁ ବାଣ୍ଟିବେ ଓ ନିଜେ ଗ୍ରହଣ କରିବେ

୬. ପ୍ରସାଦ ବଣ୍ଟନ ପରେ ଭୋଜନ ଗ୍ରହଣ କରିବେ

୭. ଯଦି ସମ୍ଭବ ୯ ଦିନ ଅନ୍ନ ଗ୍ରହଣ ନ କରି କେବଳ ଫଳ ଆହାର କରିପାରିବେ

୮. ଅଷ୍ଟମୀ କିମ୍ବା ନବମୀ ଦିନ ୯ କନ୍ୟାଙ୍କୁ ଭୋଜନ କରାଇବେ, ଉପହାର ଏବଂ ଦକ୍ଷିଣା ଦେବେ

୯. ଯଦି ସମ୍ଭବ ହୁଏ ତାହେଲେ ନବମୀ ଦିନ ହୋମ କରି ବ୍ରତ ସମାପନ କରିପାରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.