ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍, ଘୋଷଣା ହେଲା ୯ ରାଜ୍ୟର ୫୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ତାରିଖ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯/୦୯ : ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଓଡିଶା, ଗୁଜରାଟ, ଝାରଖଣ୍ଡର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଆସନ ଓ ୫୬ ବିଧାନସଭା ଆସନ ପାଇଁ ନଭେମ୍ବର ୩ ଓ ୭ ତାରିଖରେ ଉପନିର୍ବାଚନ ହେବ । ୫୪ ବିଧାନସଭା ଆସନ ପାଇଁ ୩ ତାରିଖରେ ଭୋଟ ଗ୍ରହଣ ହେବ । ବିହାରର ଗୋଟିଏ ଲୋକସଭା ଆସନ ଓ ମଣିପୁରର ଦୁଇଟି ବିଧାନସଭା ଆସନ ପାଇଁ ୭ ତାରିଖରେ ଭୋଟ ଗ୍ରହଣ ହେବ ।

ଛତିଶଗଡ଼, ଗୁଜରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ନାଗଲ୍ୟାଣ୍ଡ, ଓଡିଶା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ୩ ତାରିଖରେ ଭୋଟ ଗ୍ରହଣ ହେବ । ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ । ବିହାର ବାଲ୍ମୀକିନଗର ଲୋକସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହେବ । ନିର୍ବାଚନ ଆୟୋଗ କହିଛନ୍ତି ବିହାରର ଗୋଟିଏ ଲୋକସଭା ଆସନ ଛଡା ମଣିପୁରରେ ଦୁଇଟି ବିଧାନସଭା ଆସନ ପାଇଁ ୭ ତାରିଖରେ ଭୋଟ ଗ୍ରହଣ ହେବ ।

ନିର୍ବାଚନ ଆୟୋଗ ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଉପନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି । ଏହି ସବୁ ରାଜ୍ୟର ମୁଖତା ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ବର୍ତ୍ତମାନ ନିର୍ବାଚନରେ କିଛି ଅସୁବିଧା ଅଛି ବୋଲି ଦର୍ଶାଇଛନ୍ତି । ସେଥିପାଇଁ ଏହି ସବୁ ରାଜ୍ୟର ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ।

କେନ୍ଦ୍ର ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ବିହାରରେ ୨୪୩ ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ଭୋଟ ଗ୍ରହଣ ହେବ । କରୋନା ମହାମାରୀ ସମୟରେ ପ୍ରଥମଥର ହେବାକୁ ଯାଉଥିବା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରା କହିଛନ୍ତି ଯେ ମହାମାରୀକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା କରାଯାଇଛି ।

ଚଳିତ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟ ଘଣ୍ଟେ ବଢ଼ାଇ ଦିଆଯାଇଛି । ଭୋଟିଂ ସକାଳ ୭ଟା ରୁ ସନ୍ଧ୍ୟା ୬ଟା ଯାଏଁ ହେବ । କରୋନା ସଂକ୍ରମିତ ଓ ସମ୍ଭାବିତ ଲୋକେ ଶେଷରେ ଭୋଟ ଦେବେ । ମତଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଓ ଗ୍ଳୋବ୍ସ ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.