ଦେଶରୁ ପଳାୟନ ପୂର୍ବରୁ ଧରାପଡିଲା CFI ନେତା ରୌଫ ସରିଫ, ଜାଲ ପକାଇଥିଲେ ED
12/12/2020 at 9:29 PM

ତିରୁଅନନ୍ତପୁରମ ୧୨।୧୨: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଛାତ୍ର ଶାଖା ସିଏଫଆଇ ନେତା ରୌଫ ସରିଫ ଶନିବାର ଦେଶରୁ ଫେରାର ହେବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ବିମାନ ବନ୍ଦରରେ ଅଟକ ହୋଇଛି। ସରିଫ ବ୍ୟାଙ୍କ ଆକାଉଣ୍ଟକୁ ଓମାନ ଓ କତାରରୁ ବିପୁଳ ଅର୍ଥ ଆସିଥିଲା। ଯାହାର ସେ ଅସମାଜିକ ଉପଯୋଗ କରୁଥିବାର ଇଡି ସନ୍ଦେହ କରୁଥିଲେ। ଏଥିଲାଗି ତାଙ୍କୁ ବାରମ୍ବାର ହାଜର ହେବାକୁ ନୋଟିସ କରାଯାଉଥିଲେ ହେଁ ସେ ଫେରାର ଥିଲେ।

ଶନିବାର ନାଟକୀୟ ଢଙ୍ଗରେ ତିରୁଅନନ୍ତପୁରମ ବିମାନ ବନ୍ଦରରେ ଇଡି ତାଙ୍କୁ ଅଟକ କରିବା ସହ ଗିରଫ କରିଛି। ଇଡିଙ୍କ ବ୍ୟତୀତ ହଥରସ କାଣ୍ଡରେ ଉତ୍ତରପ୍ରଦେଶ ପୋଲିସ ତାଙ୍କ ସନ୍ଧାନରେ ଥିଲା। ହଥରସ କାଣ୍ଡରେ ଦଙ୍ଗାଲାଗି ଷଡ଼ଯନ୍ତ୍ର ବେଳେ ଅକ୍ଟୋବର ୫ ତାରିଖ ଦିନ ପୋଲିସ ମଥୁରାରୁ କିଛି ଲୋକଙ୍କୁ ଗିରଫ କରିଥିଲା। ଗିରଫ ଲୋକଙ୍କ ମଧ୍ୟରେ ଅତିକୁର ରହମାନ ଓ ମାସୁଦ ନାମକ ୨ ଜଣ ଥିଲେ। ଯେଉଁମାନେ ଦଙ୍ଗା ଲାଗି କେରଳରୁ ଆର୍ଥିକ ସହାୟତା ମିଳୁଥିବାର ପୋଲିସ ପଚରାଉଚରାରେ କହିଥିଲେ।

କେରଳର ରୌଫ ସରିଫ ନାମକ ଜନୈକ ବ୍ୟକ୍ତି ହଥରସ କାଣ୍ଡ ବାହାନାରେ ରାଜ୍ୟରେ ଦଙ୍ଗା କରାଇବା ଲାଗି ଅର୍ଥ ଦେଇଥିବାର ସୂଚନା ମିଳିବା ପରେ ୟୁପି ପୋଲିସ ତାଙ୍କ ଗିରଫଦାରୀ ଲାଗି ପଛରେ ପଡିଯାଇଥିଲା। ତେବେ ସେ ଚାଲାକ କରି ଦେଶରୁ ଖଶି ପଳାଇବାକୁ ଶନିବାର ତିରୁଅନନ୍ତପୁର ବିମାନ ବନ୍ଦରରେ ପହଞ୍ଚିବା ବେଳେ ଇଡି ତାଙ୍କୁ ବେଶ୍ ଚତୁରତାର ସହ କାବୁ କରିନେଇଛି।