ଏବେ କ୍ୟାନ୍ସରକୁ ସମୂଳେ ନାଶ କରିବ ‘ସିଏଫ୩୩’ ଭାଇରସ୍ : ଜାଣନ୍ତୁ ଏହି ଭାଇରସ୍ ବିଷୟରେ

Published By : Prameya-News7 Bureau | November 13, 2019 IST

ମେଲବୋର୍ଣ୍ଣ ୧୩।୧୧: ଏବେ ବିଶ୍ୱର ବିଭିନ୍ନ ଦେଶରେ କ୍ୟାନ୍ସର ରୋଗର ଉପଚାର ପାଇଁ ଅନେକ ପ୍ରକାରର ଗବେଷଣା ଜାରି ରହିଥିଲାବେଳେ ଅଷ୍ଟ୍ରେଲିଆର ଏକ କଂପାନି ଦାବି କରିଛି ଯେ ସିଏ ଏକ ଭାଇରସ ସାହାଯ୍ୟରେ ସବୁ ପ୍ରକାର କ୍ୟାନ୍ସର ଦୂର କରିବାରେ ସଫଳତା ପାଇଛି । ଗତ ଶତାଦ୍ଦୀରେ ବସନ୍ତ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଉଥିବା କାଓପକ୍ସ ଭାଇରସ ସହିତ ଆଉ କିଛି ଭାଇରସକୁ ମିଶାଇ ପ୍ରୟୋଗ କରିବା ପରେ କଂପାନିକୁ ଏଭଳି ସଫଳତା ମିଳିଛି । ବାୟୋଟେକ୍‌ କଂପାନି ଇମ୍ୟୁଜିନ୍‌ ଦ୍ୱାରା ଆବିଷ୍କୃତ ଏହି ଚିକିତ୍ସା ପଦ୍ଧତିର ନାମ ରଖାଯାଇଛି ‘ସିଏଫ୩୩’ ।

କଂପାନିର ମୁଖ୍ୟ ଗବେଷକ ତଥା ଆମେରିକାର କ୍ୟାନ୍ସର ବିଶେଷଜ୍ଞ ପ୍ରଫେସର ୟୁମାନ ଫଙ୍ଗ କହିଛନ୍ତି ଯେ ସେମାନେ ପ୍ରଥମେ ମୂଷା ଦେହରେ ଏଭଳି ଉପାୟରେ କ୍ୟାନ୍ସର ରୋଗର ଚିକିତ୍ସା କରିଛନ୍ତି । ଏଭଳି ଭାଇରସର ପ୍ରୟୋଗ ଯୋଗୁଁ ମୂଷା ଦେହରେ କ୍ୟାନ୍ସର ଟ୍ୟୁମର ହ୍ରାସ ପାଉଥିବାର ଲକ୍ଷ୍ୟ କରାଯାଇଛି । ସେମାନେ ଆସନ୍ତା ବର୍ଷ ମଣିଷ ଦେହରେ ଏହି ଭାଇରସର ପ୍ରୟୋଗ କରିବାକୁ ଯୋଜନା କରିଛନ୍ତି । କେବଳ ସେଥିପାଇଁ ପ୍ରଫେସର ଫଙ୍ଗ ଏବେ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି ।

ଗଣମାଧ୍ୟମ କର୍ମୀଙ୍କୁ ସେ କହିଛନ୍ତି ଯେ ଆସନ୍ତା ବର୍ଷ ମଣିଷ ଦେହରେ ଦେଖାଦେଉଥିବା ସମସ୍ତ ପ୍ରକାରର କର୍କଟର ଚିକତ୍ସା ପାଇଁ ସେମାନେ ଏହାର ପ୍ରୟୋଗ କରିବେ । ଭାଇରସର ବ୍ୟବହାର କରି କ୍ୟାନ୍ସର ରୋଗର ଚିକିତ୍ସା କରାଯିବା କିଛି ନୂଆ କଥା ନୁହେଁ । ଗତ ଶତାଦ୍ଦୀର ପ୍ରାରମ୍ଭରୁ ବି ଏଭଳି କରାଯାଇଆସୁଛି । ଆମେରିକାରେ ଥଣ୍ଡାର କାରଣ ପାଲଟୁଥିବା ଏକ ଭାଇରସର ପ୍ରୟୋଗ ଯୋଗୁ ବ୍ରେନ ଟ୍ୟୁମର ହ୍ରାସ ପାଉଥିବାର ଲକ୍ଷ୍ୟ କରାଯାଇଥିଲା । ଅନ୍ୟ ଦେଶମାନଙ୍କରେ ବି ଏଭଳି ଅନେକ ପ୍ରୟୋଗ କରାଯାଇଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେତେବେଳେ ଗୋଟିଏ ରୋଗର ଜୀବାଣକୁ ମାରିବା ପାଇଁ ଭାଇରସକୁ ଆହୁରି ବିଷାକ୍ତ ଏବଂ ଘାତକ କରାଯିବ, ତାହାହେଲେ ତା’ର ପ୍ରୟୋଗ ଯୋଗୁ ରୋଗୀର ମୃତ୍ୟୁ ହେବାର ବି ଆଶଙ୍କା ରହିଛି । କିନ୍ତୁ ପ୍ରାୟ ୨୦୦ ବର୍ଷ ତଳେ ବସନ୍ତ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କାଓପକ୍ସ ଭାଇରସ ମଣିଷ ଦେହ ପାଇଁ କ୍ଷତିକାରକ ନୁହେଁ ବୋଲି ଦେଖାଯାଇଛି । ତେଣୁ ଏହି ଭାଇରସ ସହିତ ଆଉ କେତେକ ଭାଇରସକୁ ମିଶାଇ ଏବେ କ୍ୟାନ୍ସର ରୋଗର ଚିକିତ୍ସା କରିବା ପାଇଁ ଉଦ୍ୟମ କରାଯାଉଛି । ଏହାଯୋଗୁ ମଣିଷ ଦେହ ଉପରେ କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ସେ ଆଶା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.