Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜୁଳି ବିଲ ପଇଠ କରିନଥିବା ଉପଭୋକ୍ତା ମାନେ ସାବଧାନ- ୧୬ରୁ ଆପଣଙ୍କ ବିଜୁଳି ସଂଯୋଗ କଟିବ!

ଭୁବନେଶ୍ୱର ୧୪।୦୧-  ବିଜୁଳି ବିଲ ପଇଠ କରିନଥିବା ଉପଭୋକ୍ତା ମାନେ ସାବଧାନ । ଆସନ୍ତା ୧୬ରୁ ଆପଣଙ୍କ ବିଜୁଳି ସଂଯୋଗ କାଟିବା ଆରମ୍ଭ କରିବ ସେସୁ । ୨ ଦିନ ଭିତରେ ବିଲ ନଦେଲେ  ବିଦ୍ୟୁତ କାଟିବାକୁ ସେସୁର ନାଲି ଆଖି। ଅନ୍ୟପଟେ ସେସୁର ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଛି  ରାଜନୀତି। ବିଜେପି ଅଭିଯୋଗ କରିଛି ସରକାର ଝିଣ୍ଟାକାମାରି ବଣୀ ପୋସିବା ନ୍ୟାୟରେ ବଡ଼ ବଡ଼ କମ୍ପାନିଙ୍କୁ ଛାଡ଼ି ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ଧମକ ଦେଇଛି  ପରୀକ୍ଷା ସିଜନରେ ବିଜୁଳି କାଟିଲେ  ରାଜରାସ୍ତାକୁ ଓହ୍ଲାଇବ ଦଳ।

ଆସନ୍ତା ୧୬ ତାରିଖରୁ ବିଦ୍ୟୁତ କାଟ ହେବ । ଆଜି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି । ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ । ଏଥିପାଇଁ ୪୧୩ଟି ସ୍କାର୍ଡ ସେସୁର ୯ ଜିଲ୍ଲାରେ କାମ କରିବେ । ଦୁଇ ଦିନ ଭିତରେ ବିଲ ଦିଅନ୍ତୁ ନଚେତ ବିଦ୍ୟୁତ କାଟ ହେବ ବୋଲି ସେସୁ ଚରଣବାଣୀ ଶୁଣାଇଛି। ତେବେ ସାରା ଗାଁରେ ବିଦ୍ୟୁତ କାଟ ହେବନି । ଯେଉଁ ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ହିଁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ସେସୁ କହିଛି ।

ତେବେ ସେସୁର କଠୋର ବିଦ୍ୟୁତ କାଟ୍ ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ସେସୁର ବିଦ୍ୟୁତ୍ କଟିବା ଜିଦ୍‌କୁ ବରଦାସ୍ତ କରିବନି କଂଗ୍ରେସ। ବଡ଼ ବଡ଼ କମ୍ପାନିକୁ ଛାଡ଼ି ସାଧାରଣ ଗରିବ ଲୋକଙ୍କୁ ଯେପରି ସେସୁ ଟାର୍ଗେଟ କରୁଛି ତା ବିରୋଧରେ କଂଗ୍ରେସ  ରାଜରାସ୍ତାକୁ ଓହ୍ଲାଇବ, ସେସୁର ସବୁ ଆଫିସ ଆଗରେ ଧାରଣା ଦେବ ।ସେପଟେ ବିଜେପି ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ଅଭିଯୋଗ କରିଛି ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ରେ ବଡ କମ୍ପାନି ଙ୍କୁ ଛାଡି ଗରିବଙ୍କ ପେଟରେ ରାଜ୍ୟ ସରକାର ନାତ ମାରୁଛନ୍ତି। ବିଦ୍ୟୁତ  ବିତରକ କମ୍ପାନୀ ଙ୍କ ଉପରେ ୭୬୫୬ କୋଟି  ଟଙ୍କା ବାକି ଥିବା ବେଳେ, ୧୧ ହଜାର ଗାଁ କୁ ଅନ୍ଧାର କରିବାକୁ ମସୁଧା ଚାଲିଛି। ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଛି।ପିଲାଙ୍କ ଭବିଷ୍ୟତକୁ ଦେଖି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ କରିବାକୁ ବିଜେପି ଦାବି କରିଛି।

ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ନିଷ୍ପତ୍ତିକୁ ବିରୋଧ କରିବା ସହ ଆନ୍ଦୋଳନ  ଧମକ ଦେଇଥିବା ବେଳେ ଶାସକ ବିଜେଡି ପକ୍ଷରୁ ଏନେଇ କୌଣସି ମନ୍ତବ୍ୟ ଦିଆଯାଇନାହିଁ । ଏହାମଧ୍ୟରେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ପୁଣିଥରେ ସ୍ପଷ୍ଟ କରିଦେଇଛି ।

   Related Posts