ଭୋଟ୍ ଗଣତି ନେଇ ସିଇଓଙ୍କ ପ୍ରେସମିଟ୍,ଗଣତି ପାଇଁ ପୂର୍ବାପେକ୍ଷା ୪୧୧ଟି ଟେବୁଲ୍ ବୃଦ୍ଧି
21/05/2019 at 1:25 PM

ଭୁବନେଶ୍ବର ୨୧|୫: ଚଳିତ ସାଧାରଣ ନିର୍ବାଚନ ଭୋଟ୍ ଗଣତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆସନ୍ତା ୨୩ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୧୪୬ ବିଧାନସଭା, ୨୧ ଲୋକସଭା ପାଇଁ ଗଣତି ହେବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ଟେବୁଲ୍ରେ ୩ ଜଣ ଅଧିକାରୀ ରହିବେ । ପୂର୍ବାପେକ୍ଷା ୪୧୧ଟି ଟେବୁଲ୍ ବୃଦ୍ଧି କରାଯାଇଛି । ମୋଟ୍ ଉପରେ ୨ହଜାର ୪ଶହ ୬୨ ଟେବୁଲ୍ରେ ଭୋଟ୍ ଗଣତି ହେବ । ବିଧାନସଭା ଓ ଲୋକସଭା ପାଇଁ ପ୍ରତି ହଲ୍ରେ ୭ଟି ଲେଖାଏଁ ଟେବୁଲ ରହିବ । ଚଳିତଥର ଏକ ଲକ୍ଷ ପୋଷ୍ଟାଲ୍ ବାଲେଟ୍ ମିଳିଛି । ୬ ହଜାର ୭ ଜଣ କର୍ମଚାରୀ ଭୋଟ୍ ଗଣତିରେ ନିୟୋଜିତ ହେବେ । ପ୍ରତ୍ୟେକ ଟେବୁଲ୍ରେ ଜଣେ ମାଇକ୍ରୋ ଅବ୍ଜରଭର୍ ରହିବେ ।
୩୦ଟି ଜିଲ୍ଲାର ୬୩ କାଉଣ୍ଟିଂ ସେଣ୍ଟରରେ ଉଭୟ ଲୋକସଭା ଓ ବିଧାନସଭା ଲାଗି ଗଣତି ହେବ । ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ । ଏମପି ଓ ଏମଏଲଏ ଆସନ ଲାଗି ୭ଟି ଲେଖାଏଁ ଟେବୁଲରେ କାଉଣ୍ଟିଂ କରାଯିବ । ଭୁବନେଶ୍ବର ଲୋକସଭା ସହ ୪ଟି ଆସନ ବିଧାନସଭାର ଗଣତି ବିଜେବି କଲେଜରେ ହେବାକୁ ଥିବା ବେଳେ ବାକି ୩ଟି ବିଧାନସଭାର ଗଣତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହେବ ।

ସେହିଭଳି ସମ୍ବଲପୁର ଲୋକସଭା ଓ ଏହା ଅଧୀନ ବିଧାନସଭାର ଗଣତି କୁଚିଣ୍ଡା କଲେଜ, ସମ୍ବଲପୁର ମହିଳା ମହାବିଦ୍ୟାଳୟ ଓ ରେଢାଖୋଲ ଭୀମଭୋଇ କଲେଜରେ ହେବ । କଟକର ଗଣତି ଭୁବନାନନ୍ଦ ଓଡ଼ିଶା ଇଞ୍ଜିନିୟରିଂ କଲେଜରେ ଏବଂ ଗଞ୍ଜାମ ଜିଲ୍ଲାର ଗଣତି ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁରର ୨ଟି କାଉଣ୍ଟିଂ ସେଣ୍ଟରରେ କରାଯିବ ।
ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ଲେଖାଏଁ ବୁଥରେ ଇଭିଏମ ଫଳ ସହ ଭିଭିପାଟ୍ ସ୍ଲିପକୁ ଟାଲି କରାଯିବ । ଆଉ ଏହି ବୁଥ୍ ଗୁଡ଼ିକ ଲଟେରୀ ମାଧ୍ୟମରେ ଚୟନ କରାଯିବ ।
ସମସ୍ତ ଆସନର ଫଳାଫଳ ଆନୁଷ୍ଠାନିକ ଭାବେ ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ କରାଯିବ । ସିଇଓଙ୍କ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମରେ ରାଉଣ୍ଡ ଅନୁସାରେ ରେଜଲ୍ଟ ଅପେଡଟ୍ କରାଯିବ । କାଉଣ୍ଟିଂ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କାଉଣ୍ଟିଂ ସେଣ୍ଟର ଗୁଡ଼ିକୁ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି ।