ରାତିପାହିଲେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, କେନ୍ଦ୍ରାପଡା ଉପରେ ସ୍ବତନ୍ତ୍ର ଧ୍ୟାନ : ସିଇଓ

Published By : Prameya-News7 Bureau | April 28, 2019 IST

ଭୁବନେଶ୍ବର ୨୮|୪: ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନର ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ୪୧ଟି ବିଧାନସଭା ଆସନ ପାଇଁ ମଇଦାନରେ ଅଛନ୍ତି ମୋଟ୍ ୩୩୬ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୩୦୧ଜଣ ପୁରୁଷ ପ୍ରାର୍ଥୀ ହୋଇଥିବା ବେଳେ ୩୪ ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ୯୫ ଲକ୍ଷ ୬୫୩ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ହେଉଛନ୍ତି ମହିଳା ଭୋଟର । ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୫୫ ।

ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡା ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରାପଡାରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଭୋଟର ହୋଇନଥିବା ଲୋକ ବୁଥ୍ ପାଖରେ ରହିପାରିବେନି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ୯୦୭୦ ଅଂଚଳରେ ୧୦,୭୯୨ ବୁଥ୍‌ରେ ମତଦାନ ହେବ । ତେବେ ରାଜ୍ୟର ୧୦୫ଟି ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିବେ । ଚତୁର୍ଥ ପର୍ଯ୍ୟାୟରେ ୭୨,୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୫୫୪ଟି ମତଦାନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି । ୧୧୨୬ଟି ମତଦାନ କେନ୍ଦ୍ରରେ ୱେବ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ୩୦୯୨ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.