ହ୍ୱାଟ୍ସ ଆପ୍‌ର ନୂଆ ପଲିସିକୁ କେନ୍ଦ୍ରର ରୋକ୍‌ ଠୋକ୍‌: ସିଇଓଙ୍କୁ ଚିଠି- ଏହି ପଲିସି ଫେରାଇ ନିଅ, ନଚେତ୍...

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ, ୧୯/୦୧: ହ୍ୱାଟ୍ସ ଆପ୍‌ର ନୂଆ ପଲିସିକୁ ବିରୋଧ କରି ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ୱାଟ୍ସ ଆପ୍‌ର ସିଇଓଙ୍କୁ ଚିଠି ଲେଖିଛନ୍ତି । ଏଥିରେ ମନ୍ତ୍ରଣାଳୟ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଦିଆଯାଉଥିବା ସେବାରେ ନୂଆ ସର୍ତ୍ତ ଏବଂ ପ୍ରାଇଭେସି ପଲିସିକୁ ଫୋରାଇ ନେବା ପାଇଁ ଅନୁରୋଧ କରିଛି। ଏଥିପାଇଁ ସରକାର ହ୍ୱାଟ୍ସ ଆପ୍‌ର ଗ୍ଲୋବାଲ ସିଇଓ ବିଲ୍ କୈଥର୍ଟଙ୍କୁ ପତ୍ର ଲେଖିଛନ୍ତି ।

ମନ୍ତ୍ରଣାଳୟ ବ୍ୟବହାରକାରୀଙ୍କ ସହ ଜଡ଼ିତ ସୁରକ୍ଷାର ପ୍ରଶ୍ନକୁ ନେଇ କହିଛନ୍ତି ଯେ, ଚାଟ୍‌ ତଥ୍ୟ ବ୍ୟବସାୟିକ ଆକାଉଣ୍ଟରେ ସେୟାର କରାଯିବା ଦ୍ୱାରା ଫେସବୁକ୍‌ ଅନ୍ୟ କମ୍ପାନୀଙ୍କୁ ବ୍ୟବହାରକାରୀଙ୍କ ସମ୍ୱନ୍ଧରେ ସୂଚନା ମିଳିଯିବ । ଯାହାଫଳରେ ସୁରକ୍ଷାରେ ପ୍ରଶ୍ନ ଉଠିବ। ମନ୍ତ୍ରଣାଳୟଙ୍କ ଅନୁସାରେ ହ୍ୱାଟ୍ସ ଆପ୍ ପୂର୍ବରୁ କହିଥିଲା ଯେ, ସେ ପ୍ରଦାନ କରୁଥିବା ସର୍ତ୍ତକୁ ବ୍ୟବହାରକାରୀ ମାନି ନିଅନ୍ତୁ, ଅଥବା ହ୍ୱାଟ୍ସ ଆପ୍‌ ଛାଡ଼ି ଦିଅନ୍ତୁ । କମ୍ପାନୀର ଏହି ଭଳି ଆଭିମୁଖ୍ୟ ବ୍ୟବହାରୀଙ୍କ ପାଇଁ ତାରି ସର୍ତ୍ତକୁ ମାନିବାକୁ ବାଧ୍ୟ କଲା ଭଳି ହୋଇଥିଲା। କାରଣ ଏଥିରେ ବ୍ୟବହାରକାରୀଙ୍କୁ ସର୍ତ୍ତକୁ ଅସ୍ୱୀକାର କରିବାକୁ କୌଣସି ବିକଳ୍ପ ଦିଆଯାଇନଥିଲା । ତେବେ ସରକାର ସୁପ୍ରିମ୍ କୋର୍ଟଙ୍କ ୨୦୧୭ରେ ଆସିଥିବା ପ୍ରାଇଭେସି ନିୟମ ବିଷୟରେ କମ୍ପାନୀକୁ ଅବଗତ କରାଇଥିଲେ।

ସରକାର ହ୍ୱାଟ୍ସ ଆପ୍‌ରେ ଡାଟା ପ୍ରାଇଭେସି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪ଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଏଥିରେ ପଚରା ଯାଇଛି ଯେ, ଭାରତୀୟ ବ୍ୟବହାରକାରୀଙ୍କର ତଥ୍ୟ କେଉଁ ଆଧାରରେ ସାର୍ବଜନୀନ ହେଉଛି ଏହାର ସବିଶେଷ ବିବରଣୀ ଦିଆଯାଉ । ହ୍ୱାଟ୍ସ ଆପ୍‌କୁ ବ୍ୟବହାର କରିବା ପାଇଁ ଜରୁରୀ ଅନୁମତି ଏବଂ ସହମତି ବିଷୟରେ ବିବରଣୀ ଦିଆଯାଉ। ଅନ୍ୟ ଦେଶ ଏବଂ ଭାରତ ମଧ୍ୟରେ ହ୍ୱାଟ୍ସ ଆପ୍ ର ପ୍ରଇଭେସିକୁ ନେଇ କେଉଁ କେଉଁ ନୀତି ରହିଛି ସେ ବିଷୟରେ କମ୍ପାନୀ ତଥ୍ୟ ଦେଉ ବୋଲି ଏଥିରେ ପ୍ରଶ୍ନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.