ରାଜ୍ୟକୁ ଟିକା କିଣି ଦେବ କେନ୍ଦ୍ର, ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/୦୬ : ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବି ସାମାଜିକ ଦୂରତା ପାଳନ କରିବା, ମାସ୍କ ବ୍ୟବହାର କରିବା, ସଫା ସୁତୁରା ରହିବ ଓ ସରକାରୀ ଗାଇଡଲାଇନ ପାଳନ କରିବାକୁ ସେ ନିଜ ସମ୍ବୋଧନରେ ଅପିଲ କରିଛନ୍ତି । ଜୁନ ୨୧ ତାରିଖରୁ ଦେଶର ସମସ୍ତ ନାଗରିକଙ୍କୁ ପାଇଁ ମାଗଣା ଟିକା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଏହାସହ ସେ ଦେଶର ୮୦ କୋଟିରୁ ଅଧିକ ଗରିବ ଲୋକଙ୍କ ପାଇଁ କେନ୍ଦ୍ରର ମାଗଣା ରାସନ ଯୋଜନାକୁ ନଭେମ୍ବର ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି

ମୋଦି ନିଜ ସମ୍ବୋଧନରେ କହିଛନ୍ତି ଯେ, ଜୁନ ୨୧ ତାରିଖରୁ ଦେଶର ସବୁ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ସବୁ ନାଗରିକଙ୍କୁ ଭାରତ ସରକାର ମାଗଣା ଟିକା ଦେବେ । ଆଗାମୀ ଦୁଇ ସପ୍ତାହରେ କେନ୍ଦ୍ର ଓ ରାଜ୍ୟ ମିଶି ଆବଶ୍ୟକ ବ୍ୟବସ୍ଥା ପ୍ରସ୍ତୁତ କରିବେ ଓ ମାଗଣା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇବେ । ରାଜ୍ୟମାନଙ୍କୁ କେତେ ଟିକା ଦିଆଯିବ ସେ ସମ୍ପର୍କରେ ପୂର୍ବରୁ ଜଣାଇ ଦିଆଯିବ ।

ମୋଦି କହିଛନ୍ତି, ଗତ ବର୍ଷ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ସମୟରେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁଯାୟୀ ୮୦ କୋଟି ଜନତାଙ୍କୁ ୮ ମାସ ଯାଏଁ ଭାରତ ସରକାର ମାଗଣା ରାସନ ଯୋଗାଇଥିଲେ । ଚଳିତ ବର୍ଷ ଏହି ଯୋଜନା ମେ'-ଜୁନ ଯାଏଁ ବଢାଯାଇଥିଲା । କିନ୍ତୁ ବର୍ତ୍ତମାନ ପିଏମ ଗରିବ କଲ୍ୟାଣ ଯୋଜନା ଦୀପାବଳି ଯାଏଁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଦୀପାବଳି ଯାଏଁ ୮୦ କୋଟି ଜନତାଙ୍କୁ ଧାର୍ଯ୍ୟ ପରିମାଣର ରାସନ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଦେଶର କୌଣସି ଭାଇ-ଭଉଣୀ ଭୋକିଲା ନ ରୁହନ୍ତି ବୋଲି ମୋଦି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.