୨୪ ଘଣ୍ଟାରେ ସୁସ୍ଥ ହେଲେ ୭୪୧୯ ରୋଗୀ, ଦେଶରେ ସୁସ୍ଥତା ହାର ୫୧.୦୮ ପ୍ରତିଶତକୁ ବୃଦ୍ଧି
15/06/2020 at 6:54 PM

ନୂଆଦିଲ୍ଲୀ ୧୫।୦୬: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଏକ ସୁଖଦ ଖବର। ଦେଶରେ ଗତ ୨୪ ଘଣ୍ଟାରେ ୭,୪୧୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଭାରତରେ ୧ ଲକ୍ଷ ୬୯ ହଜାର ୭୯୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। କେବଳ ଏତିକି ନୁହେଁ କୋଭିଡ୍-୧୯ ସୁସ୍ଥତା ହାର ବଢି ୫୧.୦୮ ପ୍ରତିଶତ ହୋଇଛି। ଏଥିରୁ ସ୍ପଷ୍ଟ ଯେ, ଦେଶରେ ଅଧାରୁ ଅଧିକ ସଂକ୍ରମିତ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି।
ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ସରକାରୀ ଲ୍ୟାବ୍ ସଂଖ୍ୟା ବଢି ୬୫୩ ହୋଇଛି। ସେହି ପରି ଘରୋଇ ଲ୍ୟାବ୍ ମଧ୍ୟ ବଢି ୨୪୮ ହୋଇଛି। ଦେଶରେ ଏବେ ମୋଟ୍ ୯୦୧ ପ୍ରୟୋଗଶାଳାରେ କରୋନା ଯାଞ୍ଚ କରାଯାଉଛି।
ଦେଶରେ ଗୋଟିଏ ଦିନରେ ୧୧ ହଜାର କେସ୍
ଉଲ୍ଲେଖଯୋଗ୍ୟ, ଦେଶରେ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୧,୫୦୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୩୨୫ ଜଣଙ୍କ ପ୍ରାଣହାନୀ ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତ ସଂଖ୍ୟା(ଆକ୍ଟିଭ କେସ୍) ଏକ ଲକ୍ଷ ୫୩ ହଜାର ୧୦୬ ରହିଛି। ଦେଶରେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୫୨୦ ରହିଛି।