Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ‘ଫନି’ ପାଇଁ କେନ୍ଦ୍ରର ଆଗୁଆ ସହାୟତା ଘୋଷଣା, ଓଡିଶା ପାଇଁ ୩୪୧ କୋଟି

30/04/2019 at 11:59 AM

ନୂଆଦିଲ୍ଲୀ ୩୦|୪: ବାତ୍ୟା ‘ଫନି’ ପାଇଁ କେନ୍ଦ୍ର ଗୃହ ବିଭାଗ ଓଡିଶା ପାଇଁ ୩୪୦ କୋଟି ୮୭ ଲକ୍ଷ ଟଙ୍କା ଆଗୁଆ ସହାୟତା ଘୋଷଣା କରିଛନ୍ତି । ଓଡିଶା ସହ ୪ଟି ରାଜ୍ୟ ପାଇଁ ଆଗୁଆ ହଜାରେ ୮୬ କୋଟି ଟଙ୍କା ଦେଇଛି କେନ୍ଦ୍ର । ନେସନାଲ୍ କ୍ରାଇସିସ୍ ମ୍ୟାନଜମେଣ୍ଟ କମିଟିର ନିଷ୍ପତ୍ତି ଅନୁସାରେ ଏହି ଟଙ୍କା ରାଜ୍ୟ ଡିଜାଷ୍ଟର ରେସପନ୍ସ ଫଣ୍ଡରେ ଜମା ହେବ ।

ସେହିଭଳି ଆନ୍ଧ୍ର ପାଇଁ ୨୦୦.୨୫ କୋଟି, ତାମିଲନାଡ଼ୁ ପାଇଁ ୩୦୯ କୋଟି ୩୭ ଲକ୍ଷ ଟଙ୍କା ଓ ପଶ୍ଚିମବଙ୍ଗ ପାଇଁ ୨୩୫. ୫୦ କୋଟି ଟଙ୍କା ରହିଛି ।

ଧୀରେ ଧୀରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଫନି’ । ଏବେ ଏହା ବଙ୍ଗୋପସାଗର ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି । ଚେନ୍ନାଇଠାରୁ ୬୭୦ କିଲୋମିଟର ଏବଂ ମଛଲିପଟନମ୍ ରୁ ୭୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ‘ଫନି’ ଏବେ ଘଣ୍ଟାପ୍ରତି ୧୬କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୩୬ଘଣ୍ଟା ଭିତରେ ‘ଫନି’ ଭୀଷଣ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ।

ତେବେ ଆଜି ସନ୍ଧ୍ୟା ପରେ ଏହାର ଚିତ୍ର ସ୍ପଷ୍ଟ ହେବ ଯେ, ଏହା ଓଡିଶା ମଧ୍ୟକୁ ପ୍ରବେଶ କରିବ କି ଉପକୂଳ ଆଡକୁ ଗତି କରିବ । ତେବେ ‘ଫନି’ ପ୍ରଭାବରେ ୨ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ପବନର ଘଣ୍ଟା ପ୍ରତି ବେଗ ୧୮୦ରୁ ୨୦୦କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟା ‘ଫନି’ ୪ ତାରିଖରେ ଲ୍ୟାଣ୍ଡ୍ ଫଲ୍ କରିବ । ସେତେବେଳେ ତାହା ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଥିବ । ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

   Related Posts