ଚଳୁ କରିଦେଲେ ବଡ ଚାଷୀ ! ପିଏମ୍ କିଷାନ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଟଙ୍କା : RTI କଲା ଖୁଲାସା

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଲକ୍ଷ ଲକ୍ଷ ଅଯୋଗ୍ୟ ଚାଷୀ ଅସାଧୁ ଉପାୟରେ କୋଟି କୋଟି ଟଙ୍କା ହାତେଇଥିବା ଏକ ଆରଟିଆଇ ତଥ୍ୟରୁ ଖୁଲାସା ହୋଇଛି । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ପିଏମ କିଷାନ୍ ଯୋଜନାରେ ଦେଶରେ ପ୍ରାୟ ୨୦.୪୮ ଲକ୍ଷ ଚାଷୀ ୧୩୬୪ କୋଟି ଟଙ୍କା ହାତେଇଥିବା RTI ଖୁଲାସା କରିଛି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୧୯ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ଏହି ଯୋଜନରେ ଦେଶର ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା ପ୍ୟାକେଜ୍‌ ଘୋଷଣା କରାଯାଇଥିଲା । ଯେଉଁ ଚାଷୀମାନଙ୍କର ୨ ହେକ୍ଟରରୁ କମ ଜମି ଥିବ ସେମାନଙ୍କୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯିବ ।

ତେବେ ଏକ RTI ଆବେଦନ ଜବାବରେ କେନ୍ଦ୍ର କୃଷି ମନ୍ତ୍ରାଳୟ କହିଛି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଯେଉଁଥିରେ ୨ ହେକ୍ଟରରୁ ଅଧିକ ଜମି ଥିବା ଚାଷୀ ଏବଂ ଆୟକର ଦାଖଲ କରୁଥିବା ଚାଷୀ ଅଛନ୍ତି । ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୫୫.୫୮ ପ୍ରତିଶତ ଆୟକର ଦାଖଲ କରୁଛନ୍ତି ଏବଂ ୪୪.୪୨ ପ୍ରତିଶତଙ୍କ ପାଖରେ ୨ ଏକରରୁ ଅଧିକ ଜମି ଅଛି ।

ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୫ ଟି ରାଜ୍ୟର ଚାଷୀଙ୍କ ସଂଖ୍ୟା ଅଧିକ । ସେହି ରାଜ୍ୟ ଗୁଡିକ ହେଉଛି ପଞ୍ଜାବ, ଆସାମ, ମହାରାଷ୍ଟ୍ର, ଗୁଜରାଟ ଏବଂ ଉତ୍ତର ପ୍ରଦେଶ ରହିଛି । ପଞ୍ଜାବରୁ ସର୍ବାଧିକ ୨୩.୬ ପ୍ରତିଶତ ଅର୍ଥାତ ୪.୭୪ ଲକ୍ଷ ଅଯୋଗ୍ୟ ଚାଷୀ ଟଙ୍କା ହାତେଇଛନ୍ତି । ସେହି ଭଳି ଆସାମରେ ୧୬.୮ ପ୍ରତିଶତ (୩.୪୫ ଲକ୍ଷ), ମହାରାଷ୍ଟ୍ରରେ ୧୩.୯୯ ପ୍ରତିଶତ (୨.୮୬ ଲକ୍ଷ) ଅଯୋଗ୍ୟ ଚାଷୀ ଟଙ୍କା ହାତେଇଛନ୍ତି । ଗୁଜରାଟରେ ୮.୦୫ ପ୍ରତିଶତ (୧.୬୪ ଲକ୍ଷ) ଏବଂ ଉତ୍ତର ପ୍ରଦେଶରେ ୮.୦୧ ପ୍ରତିଶତ (୧.୬୪) ଅଯୋଗ୍ୟ ଚାଷୀ ପିଏମ୍‌ କିଷାନ ଯୋଜନାରେ ଟଙ୍କା ହାତେଇଛନ୍ତି । RTI ତଥ୍ୟ ଅନୁଯାୟୀ ମୋଟ ୨୦.୪୮ ଲକ୍ଷ ଅଯୋଗ୍ୟ ଚାଷୀ ୧୩୬୪ କୋଟି ଟଙ୍କା ହାତେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.