କରୋନା କାଳରେ ଭରପୂର ଫାଇଦା ଉଠାଇଛନ୍ତି ଲାଞ୍ଚୁଆ ସରକାରୀ କର୍ମଚାରୀ, କେନ୍ଦ୍ରକୁ ମିଳିଲା ୪୦ ହଜାର ଦୁର୍ନୀତି ଅଭିଯୋଗ
7/12/2020 at 4:09 PM

ନୂଆଦିଲ୍ଳୀ ୦୭/୧୨: ସାଧାରଣ ଲୋକଙ୍କ ଭାତହାଣ୍ଡି ଉପରେ କରୋନା ମହାମାରୀ ମାଡ଼ କରିଥିବା ବେଳେ ସରକାରୀ ବାବୁ କିନ୍ତୁ ମାଲେମାଲ। ଲାଞ୍ଚୁଆ ଅଧିକାରୀମାନେ କରୋନା କାଳରେ ବି ନିଜର ହିତାହିତ ଜ୍ଞାନ ଭୁଲିଥିବା ରିପୋର୍ଟରୁ ଜଣାପଡ଼ିଛି। କରୋନା ମହାମାରୀ ପାଇଁ ସାଧାରଣ ଲୋକଟିଏ ଅନେକ ଅସୁବିଧା ଦେଇ ଗତି କରୁଥିବା ବେଳେ ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ କିନ୍ତୁ ନିଜ ପକେଟ୍ ଗରମ କରିବାରେ ବ୍ୟସ୍ତ।
ଏକ ରିପୋର୍ଟ ଅନୁସାରେ କରୋନା ଭାଇରସ୍ ସମ୍ବନ୍ଧିତ ଦୁର୍ନୀତିର ୪୦ ହଜାର ଅଭିଯୋଗ ଆସିଛି। ଏଥିରେ ସରକାରୀ କର୍ମଚାରୀଙ୍କ ଦ୍ବାରା ଲାଞ୍ଚ ଓ ନିର୍ଯାତନା ଜନିତ ମାମଲା ରହିଥିବା ଜଣାପଡ଼ିଛି। କରୋନା ମହାମାରୀ ସମ୍ବନ୍ଧୀୟ ଦୁର୍ନୀତି ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସରକାର ଚଳିତ ବର୍ଷ ଏପ୍ରିଲ ମାସରେ ଏକ ପୋର୍ଟାଲ ତିଆରି କରିଥିଲେ। ଏଥିରେ ଏବେ ସୁଦ୍ଧା କରୋନା ଭାଇରସ୍ ସମ୍ବନ୍ଧିତ ଦୁର୍ନୀତି ସମେତ ୧.୬୭ ଲକ୍ଷରୁ ଅଧିକ ଅଭିଯୋଗ ମିଳିସାରିଛି। ଏଥିରୁ ଦେଢ଼ ଲକ୍ଷ ଅଭିଯୋଗ ସରକାରଙ୍କ ନଜରକୁ ଆସିଛି।
ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଏଭଳି ପ୍ରସଙ୍ଗ ପ୍ରଥମେ ୨୫ ନଭେମ୍ବରରେ ହୋଇଥିବା ପ୍ରଗତି ବୈଠକରେ ସାମ୍ନାକୁ ଆସିଥିଳା। ପ୍ରଗତି (ପ୍ରୋ-ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମଲି ଇମ୍ପଲିମେଣ୍ଟେସନ୍ରେ ବିଭିନ୍ନ ମନ୍ତ୍ରାଳୟ ସାମିଲ ଥିବା ବେଳେ ଏହାକୁ ପ୍ରଶାସନିକ ସୁଧାର ପାଇଁ କରାଯାଇଛି। ଏହାକୁ ୨୦୧୫ରେ ଆରମ୍ଭ କରାଯାଇଥିଲା।
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିବାକୁ ଚାହିଁଥିଲେ ଯେ କେତେ ଅଭିଯୋଗ ଆସିଛି। ତେବେ ଏନେଇ ଅଧିକାରୀମାନେ ସମସ୍ତ ଅଭିଯୋଗକୁ ଏକାଠି କରି ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି ଜଣାପଡ଼ିଛି। ରିପୋର୍ଟରୁ ଜଣାପଡ଼ୁଛି ଯେ, ମିଳିଥିବା ଅଭିଯୋଗ ମଧ୍ୟରେ ଅଧିକାଂଶ ଭିସା ପାଇଁ ମଞ୍ଜୁରି, ବିଦେଶରେ ଫସିଥିବା ଭାରତୀୟଙ୍କୁ ଭାରତ ଆଣିବା ଓ ଆବଶ୍ୟକ ସେବା ଉପଲବ୍ଧ କରାଇବା ପାଇଁ ଲାଞ୍ଚ ନିଆଯାଇଛି। ହସ୍ପିଟାଲରେ ସୁବିଧା କରାଇବା, ବିଦେଶରୁ ଭାରତୀୟଙ୍କୁ ଆଣିବା, ଲକ୍ଡାଉନ୍ ବେଳେ ଫସିଥିବା ବେଳେ,ନିର୍ଯାତନା, ଲକ୍ ଡାଉନ୍ର ପାଳନ ନକରିବା ଭଳି ଦୁର୍ନୀତିକୁ ଶ୍ରେଣୀଭୁକ୍ତ କରାଯାଇଛି।