ଛାତ୍ର-ଛାତ୍ରୀଙ୍କ ପାଇଁ ବଡ ଖବର: ଜେଇଇ ମେନ୍ ପରୀକ୍ଷା ପାଇଁ ଦରକାର ନାହିଁ ଦ୍ଵାଦଶ ବୋର୍ଡରେ ୭୫ % ନମ୍ବର, ଘୋଷଣା କଲେ କେନ୍ଦ୍ର ସରକାର

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୦୧: ଶିକ୍ଷା ମନ୍ତ୍ରଣାଳୟ ଜେଇଇ ମେନ୍ ପରୀକ୍ଷା ଦେଉଥିବା ଛାତ୍ର-ଛାତ୍ରୀଙ୍କୁ ବଡ ଆଶ୍ଵସ୍ତି ଦେଇଛନ୍ତି। ମନ୍ତ୍ରଣାଳୟ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଜେଇଇ ମେନ୍‌କୁ ନେଇ ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ହଟାଇ ଦେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଟ୍ଵିଟ୍ କରି ଏହାର ଘୋଷଣା କରିଛନ୍ତି।

ନିଶଙ୍କ କହିଛନ୍ତି, ଆଇଆଇଟି ଜେଇଇ ଓ ଗତ ଶିକ୍ଷା ବର୍ଷ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ ନିମନ୍ତେ ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ନିଟ୍, ଆଇଆଇଟି ଓ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ବିଟେକ୍, ବିଇ ପାଠ୍ୟକ୍ରମ ପାଇଁ ଜେଇଇ ମେନ ପରୀକ୍ଷା ଆୟୋଜିତ ହୋଇଥାଏ। ଶିକ୍ଷା ମନ୍ତ୍ରଣାଳୟର ଏହି ଘୋଷଣା ପରେ ଏନଆଇଟି, ଆଇଆଇଟି, ସିଏଫଟିଆଇ ପରି ସଂସ୍ଥାରେ ନାମ ଲେଖା ପାଇଁ ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ସମାପ୍ତ ହୋଇଛି।

wp:html /wp:html

ଜେଇଇ ମେନ୍‌ରେ ଭଲ ନମ୍ବର ରଖୁଥିବା ପରୀକ୍ଷାର୍ଥୀଙ୍କୁ ଜେଇଇ ଆଡଭାନ୍ସ୍‌ଡ ପରୀକ୍ଷା ଦେବାକୁ ସୁଯୋଗ ମିଳିଥାଏ। ଜେଇଇ ଆଡଭାନ୍ସ୍‌ଡ ପରୀକ୍ଷା ଜରିଆରେ ଦେଶର ପ୍ରତିଷ୍ଠିତ ୨୩ ଆଇଆଇଟିରେ ଆଡମିଶନ ମିଳିଥାଏ। ଜେଇଇ ଆଡଭାନ୍ସ୍‌ଡ ପରୀକ୍ଷା ପାଇଁ ମଧ୍ୟ ଦ୍ଵାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ମଧ୍ୟ ଚଳିତ ବର୍ଷ ପ୍ରତ୍ୟାହାର କରି ନିଆଯାଇଛି। ୨୦୨୦ ପର୍ଯ୍ୟନ୍ତ ଜେଇଇ ଆଡଭାନ୍ସଡ ପାଇଁ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡ ରହିଥିଲା।

ଚଳିତ ବର୍ଷ ଦେଶରେ ଚାରୋଟି ପର୍ଯ୍ୟାୟରେ ଜେଇଇ ମେନ ଆୟୋଜିତ ହେବ। ଏହି ଚାରୋଟି ସେସନ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେରେ ଆୟୋଜିତ  ହେବ। ଜେଇଇ ମେନ ପରୀକ୍ଷାର ପ୍ରଥମ ସେସନ ଫେବୃଆରୀ ୨୩ରୁ ଫେବୃଆରୀ ୨୬ ମଧ୍ୟରେ ଆୟୋଜିତ ହେବ। ଚଳିତ ବର୍ଷ ପ୍ରଥମ ଥର ୧୩ଟି ଆଞ୍ଚଳିକ ଭାଷାରେ ଜେଇଇ ମେନ୍ ପରୀକ୍ଷା ଆୟୋଜିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.