ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର: ଜାଣନ୍ତୁ କେଉଁ ରାଜ୍ୟରେ ଖୋଲିବ ଓ କେଉଁଠି ଖୋଲିବନି

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ ୦୫/୧୦ : ଗୃହମନ୍ତ୍ରାଳୟ ଅନଲକ-୫ ଗାଇଡଲାଇନ ଅନୁସାରେ ଦେଶରେ ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କରୋନା ସ୍ଥିତି ଆକଳନ ଆଧାରରେ ସ୍କୁଲ ଖୋଲିବା ବା ନାହିଁ ତାର ନିର୍ଣ୍ଣୟ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଛାଡିଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ଦିଲ୍ଲୀ ସମେତ ଅନେକ ରାଜ୍ୟ ସରକାର ସ୍କୁଲଗୁଡିକ ଅକ୍ଟୋବର ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରାଖଣ୍ଡ ସରକାର ଏ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଚଳିତ ସପ୍ତାହରେ ସେ ଏନେଇ ନିଷ୍ପତ୍ତି ନେଇପାରନ୍ତି।

ଉତ୍ତର ପ୍ରଦେଶରେ ଅନଲକ-୫ ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଓ କୋଚିଂ ସଂସ୍ଥା ଖୋଲାଯାଇପାରେ। କିନ୍ତୁ ସେଥିପାଇଁ ପ୍ରଶାସନ ଠାରୁ ଅନୁମତି ନେବା ଜରୁରୀ। ଛାତ୍ରଛାତ୍ରୀ ନିଜ ମାତାପିତାଙ୍କ ଲିଖିତ ଅନୁମତି ପରେ ସ୍କୁଲ ଯାଇପାରିବେ। ଯେଉଁସବୁ ସ୍କୁଲଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ସେମାନଙ୍କୁ ଶିକ୍ଷା ବିଭାଗର ନିୟମ ପାଳନ କରିବାକୁ ହେବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ସ୍କୁଲ ଅକ୍ଟୋବର ୩୧ ତାରିଖ ଯାଏଁ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ନିଜେ ଜଣେ ଅଭିଭାବକ ହୋଇଥିବାରୁ ସେ ପରିସ୍ଥିତିର ଗମ୍ଭୀରତାକୁ ଭଲ ଭାବେ ବୁଝିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଝି ବିଚାରି ପଦକ୍ଷେପ ନେବା ଉଚିତ।

ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକରେ ନିର୍ଣ୍ଣୟ ନେଇଛନ୍ତି ଯେ ଦିଲ୍ଲୀରେ ସମସ୍ତ କଟକଣା ଅକ୍ଟୋବର ୩୧ ତାରିଖ ଯାଏଁ ଲାଗୁ ରହିବ। ସେଥିପାଇଁ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ ଖୋଲିବ ନାହିଁ।

ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ବିଭିନ୍ନ ରାଜ୍ୟ ସରକାର ଏହି କରୋନା ସ୍ଥିତି ଆଧାରରେ ନିୟମ ଜାରି କରିବେ ଏବଂ ସ୍କୁଲମାନଙ୍କୁ ଏହି ନିୟମ ପାଳନ କରିବାକୁ ହେବ। ଏକ ସର୍ଭେ ଅନୁସାରେ ୭୧ ପ୍ରତିଶତ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ପ୍ରସ୍ତୁତ ନୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.