ଓଡିଶାକୁ କେନ୍ଦ୍ରର ପ୍ରଶଂସା, କରୋନା ବୃଦ୍ଧିକୁ ରୋକିବାରେ ଦେଶରେ ଆଗରେ

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୦୪: କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ମଧ୍ୟରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଭଲ ଖବର ଦେଇଛନ୍ତି। ଦେଶରେ ଗତ ୭ ଦିନର ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତ ଦ୍ଵିଗୁଣ ହେବା ହାର ୩.୪ ରୁ ବଢି ୭.୫ ହୋଇଛି। ଅନ୍ୟପଟେ ଏପ୍ରିଲ ୧୯ ସୁଦ୍ଧା ତଥ୍ୟ ଅନୁସାରେ ଦେଶରେ ୧୮  ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ହାର ଜାତୀୟହାରଠୁ କମ ରହିଛି। ୧୮ ରାଜ୍ୟରେ କରୋନା ସଂକ୍ରମିତ ହାର ହ୍ରାସ ପାଇଛି। ଏଥିରୁ ଓଡିଶା ଓ କେରଳରେ ଆକ୍ରାନ୍ତଙ୍କ ହାର ଅନ୍ୟ ରାଜ୍ୟଠୁ କମ୍ ରହିଛି। ଏହି ଦୁଇ ରାଜ୍ୟକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପ୍ରଶଂସା କରିଛି। କରୋନା ବୃଦ୍ଧିକୁ ରୋକିବାରେ ଏବେ ଓଡିଶା ଓ କେରଳ ଆଗରେ ଅଛନ୍ତି।

ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, କିଛି ରାଜ୍ୟରେ କରୋନା ମାମଲା ଦ୍ଵିଗୁଣ ହେବା ହାର ୨୦ ରୁ ୩୦ ଦିନ ରହିଛି। ଓଡିଶା ଓ କେରଳରେ ଏହି ହାର ୩୦ ଦିନରୁ ଅଧିକ ରହିଛି। ଅର୍ଥାତ ୩୦ ଦିନ ପରେ ଯାଇ ଓଡିଶା ଓ କେରଳରେ କରୋନା ଆକ୍ରାନ୍ତଙ୍କ ହାର ଦୁଇ ଗୁଣ ହେଉଛି। ଯାହା ଦେଶର ଅନ୍ୟ ରାଜ୍ୟ ତୂଳନାରେ ସ୍ଥିତି ଭଲ ରହିଛି।

ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଦିଲ୍ଲୀରେ ୮.୫ ଦିନରେ କରୋନା ସଂକ୍ରମଣ ହାର ଦ୍ଵିଗୁଣିତ  ହେଉଛି। ସେହି ପରି କର୍ଣ୍ଣାଟକରେ ୯.୨ ଦିନ, ତେଲେଙ୍ଗାନାରେ ୯.୪ ଦିନରେ, ଆନ୍ଧ୍ର ପ୍ରଦେଶରେ ୧୦.୬ ଦିନରେ, ଜାମ୍ମୁ-କାଶ୍ମୀରରେ ୧୧.୫ ଦିନରେ, ପଞ୍ଜାବରେ ୧୩.୧ ଦିନରେ, ଛତିଶଗଡରେ ୧୩.୩ ଦିନରେ, ତାମିଲନାଡୁରେ ୧୪ ଦିନରେ ଓ ବିହାରରେ ୧୬.୪ ଦିନରେ ସଂକ୍ରମଣ ହାର ଦ୍ଵିଗୁଣିତ ହେଉଛି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ ଛୁଇଁଛି। ଏହି ମହାମାରୀରେ ରାଜ୍ୟରେ କେବଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ୪୯ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି। କେରଳରେ କରୋନା ସଂକ୍ରମିତ ସଂଖ୍ୟା ୪୦୮ରେ ପହଞ୍ଚିଛି। ଏଥିରେ ୧୧୪ ସକ୍ରିୟ ମାମଲା ସାମିଲ।

ବିଶ୍ଵ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଭାରତରେ ଦ୍ରୁତ ବେଗରେ ବଢି ଚାଲିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ  ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ସେପଟରେ କରୋନା ଭାଇରସ୍‌ରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୭୨୬୫ରେ ପହଞ୍ଚିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍ ଆସିନାହିଁ। ସେହି ପରି ପୁଡୁଚେରୀରେ ମାହେ, କର୍ଣ୍ଣାଟକରେ କୋଡାଗୁ ଓ ଉତ୍ତରାଖଣ୍ଡରେ ପୌଡି ଗଢବାଲରେ ଗତ ୨୮ ଦିନରେ କୌଣସି କରୋନା କେସ୍ ସାମ୍ନାକୁ ଆସିନାହିଁ। ୧୮ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିଗୁଣିତ ହାର ହ୍ରାସ ଘଟିଛି। ୩.୪ ପରିବର୍ତ୍ତେ ଏବେ ୭.୫ ଦିନରେ ଦ୍ଵିଗୁଣିତ ଆକ୍ରାନ୍ତ ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.