ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଜରୁରୀ, କରୋନା କାଳରେ ଜାରି ରହିବ କାର୍ଯ୍ୟ, ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଲେ ହାଇକୋର୍ଟ

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧/୫: ମୋଦୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ କୁହାଯାଉଥିବା ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟ କାର୍ଯ୍ୟ ଚାଲୁ ରହିବ । ସୋମବାର ଏହି ପ୍ରୋଜେକ୍ଟ କାର୍ଯ୍ୟ ବନ୍ଦ କରିବାକୁ କରାଯାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି ହାଇକୋର୍ଟ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯଦି ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକ ସାଇଟ୍‌ରେ ରହୁଛନ୍ତି ତେବେ ନିର୍ମାଣ କାର୍ଯ୍ୟ ରୋକିବାର ପ୍ରଶ୍ନ ଉଠୁନାହିଁ। ଡିଡିଏମଏ ନିର୍ଦେଶରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନେଇ କିଛି କୁହାଯାଇ ନାହିଁ। ଆବେଦନାକରୀଙ୍କ ଉପରେ ଲକ୍ଷେ ଟଙ୍କାର ଜରିମାନା ଲଗାଇବା ସହ କୋର୍ଟ କହିଛନ୍ତି, ଏହା ଜନହିତରେ ନୁହେଁ ବରଂ ଦୁର୍ଭାଗ୍ୟପୂର୍ଣ୍ଣ ଆବେଦନ।

୧୭ ମେ’ରେ ଅନ୍ୟା ମଲହୋତ୍ରା ଏବଂ ଫିଲ୍ମ ନିର୍ମାତା ସୋହେଲ ହାସମିଙ୍କ ମିଳିତ ଆବେଦନକୁ ନେଇ ନିଜର ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ନିର୍ମାଣ କାର୍ଯ୍ୟଟିର ଆବଶ୍ୟକତା ନାହିଁ ଏବଂ ଏହାକୁ କିଛି ଦିନ ପାଇଁ ବନ୍ଦ କରାଯାଇପାରିବ ବୋଲି ଆବେଦନରେ କହିଥିଲେ ଆବେଦନକାରୀ।  ଏହା ସହ ଏମିତି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ଉଚିତ ନୁହେଁ ଏବଂ ଏଥିପାଇଁ ଲୋକଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆବେଦନକାରୀ କୋର୍ଟକୁ କହିଥିଲେ। କିନ୍ତୁ ସଲିସିଟର ଜେନେରାଲ ତୁଷାର ମେହେଟା ଆବେଦନ ଖାରଜ କରିବାକୁ ଦାବି କରିଥିଲେ। ପ୍ରୋଜେକ୍ଟ କାର୍ଯ୍ୟ ସମୟରେ ସମସ୍ତ ପ୍ରକାର ପ୍ରୋଟୋକଲ୍‌ ପାଳନ କରାଯାଉଛି ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.