ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ : ଠିକ୍ ସମୟରେ ନିର୍ମାଣ ହେବ ନୂଆ ସଂସଦ ଭବନ, ସୁପ୍ରିମକୋର୍ଟ ଦେଲେ ମଞ୍ଜୁରି

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ, ୦୫/୦୧:ସୁପ୍ରିମକୋର୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ ପାଇଁ ସସର୍ତ୍ତ ମଞ୍ଜୁରି ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଏଏମ ଖାନଓ୍ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି । ଏବେସୁଦ୍ଧା କୋର୍ଟ ଏହି ପ୍ରକଳ୍ପର କାମ ଉପରେ ରୋକ ଲଗାଇଥିଲେ ।

ଖଣ୍ଡପୀଠ ଦୁଇଟି ଭିନ୍ନ ଭିନ୍ନ ନିଷ୍ପତ୍ତି ଶୁଣାଇଥିଲେ । ଗୋଟିଏ ନିଷ୍ପତ୍ତି ଜଷ୍ଟିସ୍ ଏ ଏମ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କର ଥିବା ବେଳେ ଅନ୍ୟଟି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଶୁଣାଇଥିଲେ ।

ସୂଚନାନୁସାରେ, କେନ୍ଦ୍ର ସରକରାଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଅନେକ ଆବେଦନ ଜରିଆରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବିନା କୌଣସି ଆଇନରେ ସରକାର ଏହି ପ୍ରକଳ୍ପକୁ ଆରମ୍ଭ କରୁଛନ୍ତି ।ଏଥିପାଇଁ ପରିବେଶ ମନ୍ତ୍ରାଳୟର ଅନମୁତି ନଥିଲା । ହଜାରେ କୋଟିର ଏହି ଯୋଜନା କେବଳ ସରକାରୀ ଅର୍ଥକୁ ବରବାଦ କରିବା ଭଳି ଅଟେ । ଏହା ଦ୍ୱାରା ସଂସଦ ଆଖପାଖରେ ଥିବା ଐତିହାସିକ ସ୍ୱାରକିକୁ କ୍ଷତି ପହଁଚିପାରେ । କିନ୍ତୁ କୋର୍ଟ ଅନେକ ଆବେଦନକୁ ଖାରଜ କରି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସର୍ତ୍ତମୂଳକ ମଞ୍ଜୁରି ଦେଇଛନ୍ତି ।

ମାମଲାର ରାୟ  ଶୁଣାଇବା ବେଳେ କୋର୍ଟ କହିଥିଲେ ଯେ, ସମସ୍ତ ଅନୁମତି ସରକାର ନେଇଛନ୍ତି । ସରକାର ପ୍ରକଳ୍ପକୁ ଆଗକୁ ବଢାଇ ପାରିବେ । ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହେରିଟେଜ୍ କଞ୍ଜର୍ଭେସନ କମିଟିର ମଞ୍ଜୁରି ମଧ୍ୟ ଅଣାଯାଉ ବୋଲି କୋର୍ଟ କହିଛନ୍ତି ।

ପୂର୍ବରୁ କୋର୍ଟ ନଭେମ୍ବର ୫ରେ ଏହି ମାମଲାରେ ରାୟକୁ ସୁରକ୍ଷିତ ରଖିଥିଲେ । କୋର୍ଟ କହିଥିଲେ ଯେ, ସେ ଆବେଦନକୁ ଖାରଜ କରୁଛନ୍ତି ଯେଉଁଥିରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ନୂଆ ଯୋଜନା ଉପରେ ରୋକ୍ ପାଇଁ କୁହାଯାଇଥିଲା । ଏହି ଯୋଜନା ପାଇଁ ସବୁ ଆଇନକାନୁନକୁ ଧ୍ୟାନରେ ରଖାଯାଇଛି ନା ନାହିଁ ତାହା ଉପରେ ହିଁ କେବଳ ବିଚାର ହେବ ବୋଲି କୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.