ସରିଲା ସେଣ୍ଟ୍ରାଲ ଟିମର ତିନି ଜିଲ୍ଲାରେ ତିନି ଦିନିଆ ଅନୁଧ୍ୟାନ: ଫୋନିରେ ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ଆକଳନ

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର୧୫|୫: ସରିଲା ସେଣ୍ଟ୍ରାଲ୍‌ ଟିମ୍‌ର ଅନୁଧ୍ୟାନ । ଗଲା ୨ଦିନ ଧରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଫୋନି ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଛି କେନ୍ଦ୍ରୀୟ ଟିମ୍‌ । ଏଥି ସହ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି ।ସେପଟେ ପ୍ରାଥମିକ ଭାବେ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ରକୁ ଦିଆଯିବ କ୍ଷୟକ୍ଷତିର ଚୁଡ଼ାନ୍ତ ରିପୋର୍ଟ ।

ବାତ୍ୟା ଫୋନି ରାଜ୍ୟରେ ୧୨ହଜାର କୋଟି ଟଙ୍କାର କ୍ଷୟକ୍ଷତି କରିଛି । ଏଭଳି  ଆକଳନ  କରିଛି ଫୋନି କ୍ଷୟକ୍ଷତି ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ ଟିମ୍‌ । କଟକ  ପୁରୀ  ଖୋର୍ଦ୍ଧା ବୁଲି ଦେଖିବା ପରେ କେନ୍ଦ୍ରୀୟ ଟିମ୍‌ ଆଜି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲା । ପୂର୍ବରୁ ରାଜ୍ୟ ସରକାର ଫୋନି ଯୋଗୁଁ ୧୭ ହଜାର କୋଟି ଟଙ୍କାର କ୍ଷୟକ୍ଷତିର ଆନ୍ଦାଜ ଲଗାଇଥିଲେ। ଆଉ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ବୁଲି ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ନେଇ ପ୍ରଶଂସା କରିଛନ୍ତି । ଆଉ କେନ୍ଦ୍ର ମଧ୍ୟ ତ୍ବରିତ ପଦକ୍ଷେପ ନେଇଥିବା ଜଣାଇଛନ୍ତି। ଫୋନି ଯୋଗୁଁ ପୁରୀ ଜିଲ୍ଳାରେ ଅଧିକ କ୍ଷୟକ୍ଷତି ହୋଇଥିବା ବେଳେ ବାକି ଅଂଚଳ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ସ୍ବିକାର କରିଛି କେନ୍ଦ୍ରୀୟ ଟିମ୍‌ ।

କେନ୍ଦ୍ର ଗୃହ ମନ୍ତଣାଳୟର ଅତିରିକ୍ତ ସଚିବ ବିବେକ୍‌ ଭରଦ୍ବାଜଙ୍କ ନେତୃତ୍ବରେ ଆସିଥିବା ୧୧ ଜଣିଆ ଟିମ୍ ୩ ଦିନ ଧରି ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ।  ଚଳିତ ମାସ ଶେଷ ସୁଦ୍ଧା କ୍ଷୟକ୍ଷତିର ଚୁଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ଯେଉଁଥିରେ କ୍ଷୟକ୍ଷତିର ପରିମାଣ ବଢ଼ିପାରେ ।  ତେବେ ହାଇ ପାଓ୍ବାର ଟ୍ରାନ୍‌ସମିଶନ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ  ବିଦ୍ୟୁତ୍‌ ସେବା କ୍ଷେତ୍ରରେ କିଛି ନିୟମ ପରିବର୍ତ୍ତନ କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

କେନ୍ଦ୍ରୀୟ ଟିମ୍‌ ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ, କଳିଙ୍ଗ ନଗର, ରସୁଲଗଡ଼ କଲରାପୁଟ ବସ୍ତି ସହ ବିଭିନ୍ନ ଅଂଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ ଏବଂ ଆର୍ଥିକ ସହାୟତା ପହଞ୍ଚିପାରିଥିବା ଅନୁଭବ କରିଥିଲେ । ତେବେ ବାସହରା ହୋଇପଡ଼ିଥିବା ବସ୍ତିବାସିନ୍ଦା ବାସଗୃହ ଯୋଗାଇଦେବାକୁ କେନ୍ଦ୍ରୀୟ ଟିମ୍‌ ପାଖରେ କୋହଭରା କଣ୍ଠରେ ନିବେଦନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । 

ଫୋନି ବାତ୍ୟାର ପରବର୍ତ୍ତୀ ମୁକାବିଲା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଶାଗସ୍ତରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.